ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ । ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତରେ ଅତିକମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ ୫୬୦ ଜଣଙ୍କୁ NDRF ଏବଂ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଛି । ମଙ୍ଗଳବାର ଅଧିକାରୀ ସୂତ୍ରରୁ ଏନେଇ ସୂଚନା ମିଳିଛି ।
ରବିବାର ଓ ସୋମବାର ଦୁଇ ଦିନ ଧରି ରାଜ୍ୟର ମରଥୱାଡା ଅଞ୍ଚଳରେ ବର୍ଷା ବିଭୀଷିକା ସୃଷ୍ଟି ହୋଇଥିଲା । ଏଥିରେ ବହୁ ପ୍ରାଣୀ ଜୀବନ ଯାଇଛି । ୨୦୦ରୁ ଅଧିକ ଗାଈଗୋରୁ ଭାସି ଯାଇଥିବାବେଳେ ପ୍ରବଳ ବର୍ଷାରେ ଅନେକ ଘର ଛାରଖାର୍ ହୋଇଯାଇଛି । ମଙ୍ଗଳବାର ମୁମ୍ବାଇର ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି ।
ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି କି, ଆସନ୍ତା ୨୪ ଘଣ୍ଟାରେ ମରଥୱାଡାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନ୍ୟ ଉପକୂଳ କୋଙ୍କଣ ଅଞ୍ଚଳରେ ମଧ୍ୟ ତୀବ୍ର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।
ଗତକାଲି ମଞ୍ଜରା ଡ୍ୟାମର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ନିଷ୍କାସନ ପାଇଁ ଡ୍ୟାମର ସମସ୍ତ ୧୮ଟି ଗେଟ୍ ଖୋଲା ଯାଇଛି । ଯଦ୍ବାରା ବିଡ୍ ଜିଲ୍ଲାର ଅଧିକାଂଶ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଜିଲ୍ଲା ସମେତ ଏହାର ପଡୋଶୀ ଜିଲ୍ଲାଗୁଡିକ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।