ନୂଆଦିଲ୍ଲୀ: ଓଡ଼ିଶାର ରାଉରକେଲା ଅଞ୍ଚଳର ଇଂଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ର କଳା ପାଇଁ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି । ସଫ୍ଟଷ୍ଟୋନରେ ଓଡିଶାର ଲୋକପ୍ରିୟ କଳା ପଟ୍ଟଚିତ୍ରର ଯାଦୁ ଦେଖାଇଥିବାରୁ ମୋଦି ତାଙ୍କୁ ଜାତୀୟ ସ୍ତରରେ ପ୍ରଶଂସା କରିବା ସହିତ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ଦେଶର ବିଭିନ୍ନ ପରମ୍ପରା ଓ ସଂସ୍କୃତିକୁ କଳାକାର, ଚିତ୍ରକାରମାନେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଉଥିବା ସମ୍ପର୍କରେ କହି ଓଡ଼ିଆ ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା କରିଥିଲେ । ଭାଗ୍ୟଶ୍ରୀ ଜଣେ ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବା ବେଳେ ଲକଡାଉନ ସମୟରେ ତାଙ୍କ କଳାର ଝଲକ ଦେଖାଇଥିଲେ । ସେ କଲେଜ ଯିବା ସମୟରେ ରାସ୍ତାରେ ପଡୁଥିବା ସଫ୍ଟଷ୍ଟୋନକୁ ସଂଗ୍ରହ କରି ସେଥିରେ ବିଭିନ୍ନ ପ୍ରକାର ଚିତ୍ର ସହିତ ଓଡ଼ିଶାର ଲୋକପ୍ରିୟ କଳା ପଟ୍ଟଚିତ୍ର ମଧ୍ୟ କରିଥିଲେ । ଲକଡାଉନ ସମୟରେ ଏହି ଚିତ୍ରକଳା ଆରମ୍ଭ କରିଥିବା ବେଳେ ଏବେ ଏହି କଳାରେ ସେ ପାରଙ୍ଗମ ହାସଲ କରିଥିବା ମୋଦି କହିଛନ୍ତି ।
ଭାଗ୍ୟଶ୍ରୀ ପ୍ରତିଦିନ 2 ଘଣ୍ଟା ସମୟ ଏହି କଳାରେ ଦେଉଥିବା ବେଳେ ବୋତଲରେ ମଧ୍ୟ ଏହି ଚିତ୍ରକୁ ଆଙ୍କିଥିଲେ । ତେବେ ସେ ଏହି ଚିତ୍ର ଅଙ୍କନ କରି ନିଜ ବନ୍ଧୁଙ୍କୁ ଉପହାର ଦେବା ସହିତ ୱାର୍କସପ ଆୟୋଜିତ କରୁଥିବା ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ଏହାସହିତ ଭାଗ୍ୟଶ୍ରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ମଧ୍ୟ ସଫ୍ଟଷ୍ଟୋନରେ ନେତାଜୀଙ୍କ ଚିତ୍ର ଆଙ୍କିଥିଲେ ବୋଲି ମୋଦି କହିଛନ୍ତି । ତେବେ ଭାଗ୍ୟଶ୍ରୀଙ୍କ କଳା କ୍ଷେତ୍ରରେ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ