ଲକ୍ଷ୍ମୌ: ୨ ମାସ ତଳେ ନିଖୋଜ ଦଳିତ ଯୁବତୀଙ୍କ ମୃତଦେହ ଉଦ୍ଧାର । ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଫତେହ ବାହାଦୂର ସିଂହଙ୍କ ଆଶ୍ରମର ଏକ ଖାଲି ଘର ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଦାୟିତ୍ବରେ ଅବହେଳା ଦର୍ଶାଇ କୋଟୱାଲୀ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଉନ୍ନାଓ SP ।
ପୋଲିସ କହିବା ଅନୁସାରେ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଫତେହ ବାହାଦୂରଙ୍କ ପୁଅ ରାଜୋଲ ସିଂହ । ରାଜୋଲ ଯୁବତୀଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଉନ୍ନାଓ SP ତୁରନ୍ତ ସଦର କୋଟୱାଲୀ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ମାମଲାର ତଦନ୍ତ ଦାୟିତ୍ବ SSI ଙ୍କୁ ହସ୍ତାନ୍ତର କରିଛନ୍ତି ।
ଅତିରିକ୍ତ ପୋଲିସ ଅଧୀକ୍ଷକ ଶଶି ଶେଖର ସିଂଙ୍କ କହିବା ଅନୁଯାୟୀ, ଦୁଇ ମାସ ତଳେ ନିଖୋଜ ଯୁବତୀର ମୃତଦେହ ଗତକାଲି(ଗୁରୁବାର) ଅଭିଯୁକ୍ତର ଘର ପଛପଟୁ ମିଳିଥିଲା । ଏଥିରେ ସୁରଜ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।
ସୂଚନା ଅନୁଯାୟୀ, ଯୁବତୀ ଜଣକ ଡିସେମ୍ବର ୮ ତାରିଖରେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରଦିନ ତାଙ୍କ ମାଆ ଏନେଇ ପୋଲିସରେ ଏତଲା ଦେଇଥିଲେ । ପୂର୍ବତନ ସମାଜବାଦୀ ପାର୍ଟି ମନ୍ତ୍ରୀଙ୍କ ପୁଅ ରାଜୋଲ ସିଂହ ଅପହରଣ କରିଥିବା ସେ ଅଭିଯୋଗ କରିଥିଲେ । ତେବେ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ପୋଲିସର ଅବେହଳା ଦର୍ଶାଇ କୋଟୱାଲୀ ଇନ୍ସପେକ୍ଟରଙ୍କୁ ନିଲମ୍ବନ କରାଯାଇଛି ।
ତେବେ ପୂର୍ବତନ ମନ୍ତ୍ରୀ ଫତେହ ବାହାଦୂର ସିଂହ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ ପୁଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ