ଚଣ୍ଡିଗଡ: ମହଙ୍ଗା ପଡିଲା ସୋସିଆଲ ମିଡିଆ ପ୍ରେମ । ନାବାଳିକାଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ । ହରିୟାଣାର ଗୁରୁଗ୍ରାମରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କର ନ୍ୟୁଡ ଫଟୋ ରଖି ବ୍ଲାକମେଲ୍ କରୁଥିବା ଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ମାଆ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ଯୁକ୍ତ ଦୁଇରେ ପଢୁଥିବା ୧୬ ବର୍ଷୀୟ ନାବାଳିକା ଇନଷ୍ଟାଗ୍ରାମରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବନ୍ଧୁତ୍ବ ସ୍ଥାପନ କରିଥିଲେ । କିଛି ଦିନ କଥା ହେବା ପରେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଏପରିକି ଦୁହେଁ ଥରେ ଭିଡିଓ କଲରେ କଥା ହୋଇଥିଲେ । ଏହାପରେ ଥରେ ଯୁବକ ନାବାଳିକାଙ୍କୁ ଦେଖା କରିବା ବାହାନାରେ ହୋଟେଲ ଡକାଇଥିଲେ । ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ନ୍ୟୁଡ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ ।
ସୋସିଆଲ ମିଡିଆରେ ଏହି ଭିଡିଓ ଓ ଫଟୋ ଭାଇରାଲ କରିବାର ଧମକ ଦେଇ ଯୁବକ ନାବାଳିକାଙ୍କୁ ଅନେକ ଥର ହୋଟେଲ ଡକାଇଥିଲେ । ଏପରି ବାରମ୍ବାର ଧମକ ଦେବା ପରେ ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ନାବାଳିକାଙ୍କ ନ୍ୟୁଡ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାଙ୍କ ମାଆଙ୍କ ପାଖକୁ ପଠାଇଥିଲା । ଏହା ଦେଖି ମହିଳା ନିଜ ଝିଅକୁ ପଚରାଉଚରା କରିବାରୁ ସେ ସବୁକଥା ଜଣାଇଥିଲେ ।
ଏହାପରେ ପୀଡିତାଙ୍କ ମାଆ ଥାନାରେ ପହଞ୍ଚି ଅଭିଯୁକ୍ତ ଇନଷ୍ଟା ଫ୍ରେଣ୍ଡ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଯୁବକଙ୍କୁ ଧରିବାକୁ ତନଘନା ଚଳାଇଛି । ତେବେ ଅଭିଯୁକ୍ତ ମଧ୍ୟ ଜଣେ ଛାତ୍ର ହୋଇଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଯୁବପିଢି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଛନ୍ତି । ଫେସବୁକ, ଇନଷ୍ଟାଗ୍ରାମରେ ଅଜଣା ଲୋକଙ୍କ ସହ ବନ୍ଧୁତ୍ବ ସ୍ଥାପନ କରୁଛନ୍ତି । ତେବେ ଏହି ବନ୍ଧୁତା ଅନେକ ସମୟରେ ଏପରି ମହଙ୍ଗା ପଡୁଥିବା ଦେଖାଯାଉଛି ।