ମୁମ୍ବାଇ: ତାଜ ହୋଟେଲର 10 ମହାଲାରୁ ଡେଇଁ ଦୁବାଇର ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି (businessman jumped from 10th floor of Taj hotel)। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ବ୍ୟବସାୟୀଙ୍କ ନାମ ଶାହାରୁଖ ଇଞ୍ଜିନିୟର ଓ ବୟସ ପ୍ରାୟ 60 ହେବ ବୋଲି ପୋଲିସ ପ୍ରାଥମିକ ଭାବେ କହିଛି । ସ୍ଥାନୀୟ କୋଲାବା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କୋଲାବା ପୋଲିସ ଷ୍ଟେସନର ଥାନାଧିକାରୀ ବିଜୟ ହାତିଶକର ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅପରାହ୍ନ ପ୍ରାୟ 2.30 ରେ ଶାହରୁଖ ହୋଟେଲର 10 ମହଲାରୁ ଡେଇଁ ପଡିଥିବା ସୂଚନା ମିଳିଥିଲା । ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ସମ୍ପର୍କୀୟଙ୍କ ପକ୍ଷରୁ କୌଣସି ଏତଲା କିମ୍ବା ଅଭିଯୋଗ କରାଯାଇନାହିଁ । ପୋଲିସ ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଶାହାରୁଖ ଦୁବାଇର ଜଣେ ବ୍ୟବସାୟୀ । ତାଙ୍କର ପିତାମାତା ମୁମ୍ବାଇର ତାଜ ହୋଟେଲରେ ଥିଲେ । ସେ ତାଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସିଥିଲେ । ଗତକାଲି ସେ ତାଜ ହୋଟେଲ ଆସି ତାଙ୍କ ପିତାମାତାଙ୍କୁ ଭେଟିଥିଲେ । ତେବେ ଆଜି ଅପରାହ୍ନରେ ସେ 10 ମହଲାରୁ ଡେଇଁ ପଡିଥିବା ପୋଲିସକୁ ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଥିଲା । ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ