ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଗୋଟି ଚାଳନା କରିଛି ବିଜେପି । ମେଟ୍ରୋ ମ୍ୟାନ ନାଁରେ ଜଣାଶୁଣା ଇ ଶ୍ରୀଧରନ ହୋଇଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହାର ଆନୁଷ୍ଠାନିକ ଘୋଷଣା ହୋଇଛି । ଏନେଇ ସୂଚନା ଦେଇଛନ୍ତି କେରଳ ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦରନ । ଶ୍ରୀଧରନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦଳ ପାଇଁ ବଡ ଉପଲବ୍ଧି କୁହାଯାଇପାରେ ।
21 ଫେବୃଆରୀରେ ବିଜେପିରେ ସାମିଲ ହୋଇଥିଲେ ମେଟ୍ରୋ ମ୍ୟାନ ଇ. ଶ୍ରୀଧରନ । ବିଜେପିକୁ କ୍ଷମତାକୁ ଆଣିବା ଲକ୍ଷରେ ରାଜନୈତିକ ମୈଦାନରେ ପ୍ରବେଶ କରୁଥିବା କହିଥିଲେ ଶ୍ରୀଧରନ । ତେବେ ରାଜ୍ୟର ହିତ ପାଇଁ କାମ କରେ ବୋଲି ମଧ୍ୟ ସେ ବୟାନ ଦେଇଥିଲେ ।
କେରଳରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଶ୍ରୀଧରନଙ୍କୁ ଅନୁରୋଧ କରିଥିଲା ବିଜେପି । ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ମେଟ୍ରୋ ମ୍ୟାନ ଶ୍ରୀଧରନ ଦେଶର ବିକାଶର ପ୍ରତୀକ ଭାବେ ଜଣାଶୁଣା ।
ଇ ଶ୍ରୀଧରନ କେବଳ ମେଟ୍ରୋ ନୁହେଁ, କୋଙ୍କଣ ରେଲୱେରେ ଉତ୍କୃଷ୍ଠ ଯୋଗଦାନ ପାଇଁ ମଧ୍ୟ ପରିଚିତ । 2001ରେ ତାଙ୍କୁ ପଦ୍ମଶ୍ରୀ ଓ 2008ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ବିକାଶ କ୍ଷେତ୍ରରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ମଧ୍ୟ 2005ରେ ଶ୍ରୀଧରନଙ୍କୁ ଚାଭାଲିୟର ଡି ଲା ଲିଜିଅନ ଆୱାର୍ଡରେ ସମ୍ମାନିତ କରିଥିଲେ । ସେହିପରି ଆମେରିକାର ବିଶ୍ବ ପ୍ରସିଦ୍ଧ ପତ୍ରିକା ଟାଇମ୍ସ ମେଗାଜିନ ମଧ୍ୟ ଶ୍ରୀଧରନଙ୍କୁ ଏସିଆର ହିରୋ କହି ସମ୍ବୋଧନ କରିସାରିଛି । ବିଶ୍ବରେ ଯାତାୟାତ ସୁଗମ କରିବା ପାଇଁ ଶ୍ରୀଧରନ ୟୁଏନଓରେ ମଧ୍ୟ ନିଜର ସେବା ପ୍ରଦାନ କରିସାରିଛନ୍ତି ।