ନୂଆଦିଲ୍ଲୀ: ନିଜ ସାକ୍ଷାତକାର ନେବା ପାଇଁ ଭାରତୀୟ ଅଧିକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । କେବଳ ଚିକିତ୍ସା ପାଇଁ ଭାରତ ଛାଡିଥିବା ଦାବି କରିଛନ୍ତି ମେହୁଲ ।
ଚୋକସି ଘୋଷଣା କରିଛନ୍ତି, ସେ ଆଇନକୁ ପାଳନ କରୁଥିବା ନାଗରିକ । ଡୋମିନିକା ହାଇକୋର୍ଟରେ ଦାଖଲ ଏକ ଦଲିଲରେ 62 ବର୍ଷୀୟ ଭାରତୀୟ ପଳାତକ କହିଛନ୍ତି, ମୁଁ ଭାରତୀୟ ଅଧିକାରୀଙ୍କୁ ମୋ ସାକ୍ଷାତକାର ନେବା ଓ ମୋ ବିରୋଧରେ କୌଣସି ଯାଞ୍ଚ ସମ୍ବନ୍ଧରେ ପ୍ରଶ୍ନ କରିବାକୁ ନିମନ୍ତ୍ରଣ ଦେଇଛି ।
ସୂଚନ ଅନୁଯାୟୀ ଚୋକସି କହିଛନ୍ତି ମୁଁ ଭାରତର ଆଇନରୁ ବଞ୍ଚିବା ପାଇଁ ପଳାଇଆସିନାହିଁ । ଯେବେ ମୁଁ ଆମେରିକାରେ ଚିକିତ୍ସା ପାଇଁ ଭାରତ ଛାଡିଥିଲି, ସେବେ ଭାରତର ଯାଞ୍ଚ ଏଜେନ୍ସି ପକ୍ଷରୁ କୌଣସି ୱାରେଣ୍ଟ ଜାରି କରାଯାଇନଥିଲା ।
ମେହୁଲ ଚୋକସି ବର୍ତ୍ତମାନ ଡୋମିନିକା ଜେଲରେ ବନ୍ଦ ଅଛନ୍ତି । 23 ମାର୍ଚ୍ଚରେ ଚୋକସି ଆଣ୍ଟିଗୁଆ ଓ ବାରମୁଡା ରହସ୍ୟମୟ ପରିସ୍ଥିତିରେ ନିଖୋଜ ହୋଇଥିଲେ । ପରେ ତାଙ୍କୁ ଡୋମିନିକାରେ ଗିରଫ କରାଯାଇଥିଲା । ଏବେ ଭାରତ ସରକାର ତାଙ୍କ ପ୍ରତ୍ୟାର୍ପଣ ଚେଷ୍ଟାରେ ଲାଗିଛନ୍ତି ।
ପଳାତକ ହୀରା ବ୍ୟବସାୟୀ, ମେହୁଲ ଚୋକସିଙ୍କୁ ଡୋମିନିକାରୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ପଠାଯାଇଥିବା ବିଭିନ୍ନ ଏଜେନ୍ସିର ଅଧିକାରୀ ଦଳ 4 ଜୁନରେ କାତାର ଏୟାରପୋର୍ଟରୁ ଏକ ଘରୋଇ ବିମାନରେ ଭାରତ ଫେରିଆସିଥିଲେ । ସେପଟେ ଡୋମିନିକା ହାଇକୋର୍ଟ 3 ଜୁନରେ ମାମଲାର ଶୁଣାଣି ସ୍ଥଗିତ କରିଦେଇଥିଲେ ।