ହାଇଦ୍ରାବାଦ: RSS ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଲେ ସର୍ବଭାରତୀୟ ଇମାମ୍ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ । ଦିଲ୍ଲୀର କସ୍ତୁରବା ମାର୍ଗରେ ଥିବା ମସଜିଦ୍ରେ ଉଭୟ ଭେଟିଛନ୍ତି । ଦୀର୍ଘ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାକୁ ଏକ ରାଜନୈତିକ ରୂପ ଦିଆଯାଉଥିବା ବେଳେ ଇମାମ୍ ସଂଗଠନ ମୁଖ୍ୟ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି(speculation arises after RSS chief met AIIO chief ) ।
ଏହି ଭେଟଘାଟକୁ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି ଇମାମ୍ ସଂଗଠନ ମୁଖ୍ୟ । ଉମର ଅହମ୍ମଦ ଇଲ୍ୟାସୀଙ୍କଠାରୁ ନିମନ୍ତ୍ରଣ ପାଇବା ପରେ ତାଙ୍କୁ ଭେଟିଛନ୍ତି ମୋହନ ଭାଗବତ । ଏହାର ରାଜନୀତି ସହ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ରାଜନୀତିକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ ବୋଲି ଉଭୟ ପକ୍ଷ କହିଛନ୍ତି ।
ବର୍ତ୍ତମାନ ଦେଶରେ ଧର୍ମ ଓ ସମ୍ପ୍ରଦାୟକୁ ନେଇ ଅନେକ ଘଟଣା ଘଟିବାରେ ଲାଗିଛି । ହିଜାବ ବିବାଦ ଓ ଜ୍ଞାନବ୍ୟାପୀ ମସ୍ଜିଦ୍ ଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଇମାମ୍ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲ୍ୟାସୀ କହିଛନ୍ତି, "ଆମର ଧର୍ମ ଭିନ୍ନ, ବିଶ୍ବାସ ଓ ସଂସ୍କାର ମଧ୍ୟ ଭିନ୍ନ । କିନ୍ତୁ ସର୍ବୋପରି ଆମେ ଭାରତୀୟ । ତେଣୁ ପ୍ରଥମେ ମାନବିକତାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ଯେତେବେଳେ ଦେଶର ବିକାଶ ହେଉଛି, ସେତେବେଳେ ଭାଗବତଙ୍କ ସମ୍ପ୍ରଦାୟ ଏହାକୁ ନେଇ କିଛି ଅଧିକ କରିବାକୁ ଚାହୁଁଛି । ଆମେ ସମସ୍ତେ ଭାରତର ପ୍ରଗତି ଦେଖିବାକୁ ଚାହୁଁଛେ । ଏହାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି ।"
ଏକ ଘଣ୍ଟାରୁ ଅଧିକ ସମୟ ଧରି ମୋହନ ଭାଗବତ ଓ ଉମର ଅହମ୍ମଦ ଇଲ୍ୟାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ସର୍ବଭାରତୀୟ ଇମାମ୍ ସଂଗଠନର ସଦସ୍ୟ ଓ RSS ସଦସ୍ୟଙ୍କୁ ଦିଲ୍ଲୀର କସ୍ତୁରବା ମାର୍ଗରେ ଥିବା ମସଜିଦ୍ରେ ପଇଁତରା ମାରୁଥିବା ଦେଖାଯାଇଥିଲା । ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ଦେଶରେ ଚାଲିଥିବା ଘଟଣାବଳୀକୁ ନେଇ ଆଲୋଚନା ହୋଇଥିବା ଆକଳନ କରାଯାଉଥିଲା । ଏହାକୁ ନେଇ ଇମାମ୍ ସଂଗଠନ ମୁଖ୍ୟ କହିଛନ୍ତି, "ଆମେ ଏକ ଏଭଳି ଦେଶରେ ରହୁଛେ, ଯେଉଁଠି ଏକତା ସହ ରହିଛି ବିବିଧତା । ସ୍ନେହ ଓ ଭଲ ପାଇବାର ବାର୍ତ୍ତାକୁ ନେଇ ଏହି ଆଲୋଚନା ହୋଇଛି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ।"
ଏହାକୁ ନେଇ RSSର ଜଣେ ପ୍ରମୁଖ ସଦସ୍ୟ କହିଛନ୍ତି, "ଭାଗବତ ଯେଉଁ ସ୍ଥାନକୁ ବି ଯାଉଛନ୍ତି, ସେଠାରେ ଅନେକ ଲୋକଙ୍କ ସହ ଦେଖା କରୁଛନ୍ତି । କିଛି ଦିନ ପୂର୍ବରୁ ସେ ମୁସ୍ଲିମ୍ ସମ୍ପ୍ରଦାୟର କିଛି ପ୍ରତିନିଧିଙ୍କୁ ଭେଟିଥିଲେ । ଏହି ଅବସରରେ ସେ ଗୋହତ୍ୟାକୁ ନେଇ ମୁସ୍ଲିମ୍ ପ୍ରତିନିଧିଙ୍କ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅପିଲ୍ କରିଥିଲେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ