ଜୟପୁର(ରାଜସ୍ଥାନ): ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଜିପ୍ ଉପରେ ଓଲଟି ପଡିଲା ମୃଦୁ ପାନୀୟ ବୋଝେଇ ଟ୍ରକ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମଙ୍ଗଳବାର ରାଜସ୍ଥାନର ଦଉସା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ମହୱା-ମଣ୍ଡାୱର ଥାନା ରାଜପଥର ବିରସାନା କ୍ରସିଂ ନିକଟରେ ଦୁର୍ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ, ଜିପରେ ମୋଟ ୧୭ ଜଣ ଥିଲେ । ଜିପ୍ଟି ମହୱାରୁ ମଣ୍ଡାୱାର ଅଭିମୁଖେ ଯାଉଥିଲା । ଅପର ପାର୍ଶ୍ବରୁ ମୃଦୁ ପାନୀୟ ବୋଝେଇ ଏକ ଟ୍ରକ ସେହି ବାଟ ଦେଇ ଆସୁଥିଲା । ଏତିକି ବେଳେ ଅଚାନକ ଟ୍ରକ ଆଗରେ ଏକ ଟ୍ରାକ୍ଟର ଚାଲି ଆସିଥିଲା । ଟ୍ରାକ୍ଟର ସହ ଧକ୍କା ନହେବାକୁ ଟ୍ରକ ଡ୍ରାଇଭର ହଠାତ୍ ବ୍ରେକ ଲଗାଇ ଥିଲେ । ଫଳସୂରୁପ ଟ୍ରକ ଭାରସାମ୍ୟ ହରାଇ ଜିପ୍ ଉପରେ ଓଲଟି ପଡିଥିଲା । ଫଳରେ ଜିପ୍ରେ ଥିବା ଯାତ୍ରୀମାନେ ଚାପି ହୋଇଯାଇଥିଲେ ।
ଏହାମଧ୍ୟ ପଢନ୍ତୁ: ଫୋନରେ ଅନ୍ୟ ବ୍ୟକ୍ତିଙ୍କୁ ମେସେଜ କଲେ ମା’, ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ପୁଅ
ଏହାମଧ୍ୟ ପଢନ୍ତୁ : Uttrakhand: ଖାଇକୁ ଖସିଲା ବସ୍, 7 ତୀର୍ଥଯାତ୍ରୀଙ୍କ ମୃତ୍ୟୁ !
ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ରହିଛି । ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ଜୟପୁରକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମହୱା ହସ୍ପିଟାଲ ପଠାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ଜୟପୁର ଗ୍ରାମାଞ୍ଚଳ ସାଂସଦ ରାଜ୍ୟବର୍ଦ୍ଧନ ସିଂହ ଏକ୍ସ(ପୂର୍ବର ଟ୍ବିଟର)ରେ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।