ବେଙ୍ଗାଲୁରୁ: ପ୍ରେମିକାକୁ ଗିଫ୍ଟ ଦେବା ପାଇଁ ଦାମି ମୋବାଇଲ ଚୋରାଇବାକୁ ଯାଇ ସୋରୁମର ମହିଳା ଶୌଚାଳୟରେ ସାରା ରାତି ଲୁଚିଲା ପ୍ରମିକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । ସୋରୁମରୁ ଲକ୍ଷାଧିକ ଟଙ୍କାର ୬ଟି ଦାମି ମୋବାଇଲ ଚୋରି କରି ରାତି ସାରା ମହିଳା ଶୌଚାଳୟରେ ଲୁଚିଥିବା ଅବଦୁଲ୍ଲ ମୁନାଫ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ବେଙ୍ଗାଲୁରର ଜେପି ନଗର ଥାନା ପୋଲିସ । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାରା ରାତି ଶୌଚାଳୟରେ ଲୁଚିଥିବା ଅବଦୁଲ୍ଲର ଚୋରି ସମୟର ସମସ୍ତ କାରନାମା କିନ୍ତୁ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୨୦ ରେ ଘଟିଥିଲା ଏହି ଘଟାଣା । ରାତି ପ୍ରାୟ ୮.୩୦ ରେ ସହରର ଏକ ବଡ ଇଲୋକ୍ଟ୍ରୋନିକ୍ସ ସୋରୁମରେ ପଶିଥିଲା ଅଭିଯୁକ୍ତ । ତେବେ ଚୋରି କରିବା ପାଇଁ ସେ ସୋରୁମ ବନ୍ଦ ହେବା ଯାଏ ଲୁଚିବା ଉଦ୍ଦେଶ୍ୟରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ଲୁଚିଯାଇଥିଲା । ବିଳମ୍ବିତ ରାତିରେ ସୋରୁମର ସମସ୍ତ ଷ୍ଟାଫ ଚାଲିଯିବା ସହ ସୋରୁମ ବନ୍ଦ ମଧ୍ୟ କରାଯାଇଥିଲା । ପରେ ଅଭିଯୁକ୍ତ ଶୌଚାଳୟରୁ ବାହାରି ସୋରୁମ ଭିତରେ ମୋବାଇଲ ଚୋରି ଆରମ୍ଭ କରିଥିଲା । ତେବେ ତାର ଅଜଣାତରେ ଏହି ସବୁ କାରନାମା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି ।
ଚୋରି କରିବା ପରେ ସେଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ୬ ମୋବାଇଲ ଫୋନ ଧରି ଚମ୍ପଟ ମାରିବାରେ ସଫଳ ହୋଇଥିବା ଅଭିଯୁକ୍ତକୁ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏକ ମାମଲା ରୁଜୁ କରି ପୋଲିସ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ବ୍ୟାପାର କାରଣରୁ ହୋଇଥିବା ଜାଣିବାକୁ ପାଇଛି । ପ୍ରେମିକା ପାଇଁ ଦାମି ମୋବାଇଲ ଉପହାର ସକାଶେ ପ୍ରେମିକ ଅଭିଯୁକ୍ତଜଣଙ୍କ ଏପରି କାରନାମା କରିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ