ଅମରାବତୀ: ପ୍ରେମିକାକୁ ବଦନାମ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପ୍ରେମିକ ଜଣକଙ୍କ ନାମ ଶିରେଡ୍ଡୀ ନବୀନ(Shireddy Naveen) ଏବଂ ସେ ଗ୍ରାମ ସଚିବାଳୟ(grama sachivalayam)ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଟନ୍ତି । ନବୀନ ନିଜ ପ୍ରେମିକା ବାପାଙ୍କୁ କିଛି ଟଙ୍କା ମାଗିଥିଲେ । ସେ ଟଙ୍କା ଦେବା ପାଇଁ ମନା କରିବାରୁ ନବୀନ ପ୍ରେମିକାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ଧମକ ଦେଇଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି ।
ଶିରେଡ୍ଡୀ ନବୀନ କାର୍ଯ୍ୟ କରୁଥିବା ସ୍ଥାନରେ ସମ୍ପୃକ୍ତ ଯୁବତୀ ମଧ୍ୟ କାର୍ଯ୍ୟରତ ଥିଲେ । ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନବୀନ ଓ ଉକ୍ତ ଯୁବତୀ ଦୀର୍ଘ ଦୁଇ ବର୍ଷ ହେଲା ପରସ୍ପର ସହ ସମ୍ପର୍କରେ ଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଡେଟିଂ କରୁଥିଲେ । ଏପରିକି ତାଙ୍କ ପରିବାର ମଧ୍ୟ ସେମାନଙ୍କୁ ସମର୍ଥନ କରୁଥିଲେ । ହେଲେ ଗତ ଦୁଇ ମାସ ହେଲା ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ନବୀନ ନିଜର ଘର ତିଆରି କରିବା ପରେ ବିବାହ ପାଇଁ ଜିଦ୍ ଧରିଥିଲେ । ଏଥିପାଇଁ ଯୁବତୀଙ୍କ ବାପାମାଆଙ୍କୁ ଟଙ୍କା ମାଗିଥିଲେ । ବାପାମାଆ ଟଙ୍କା ଦେବାକୁ ମନା କରିବାରୁ ରାଗି ଯାଇ ସେ ଯୁବତୀଙ୍କୁ ବଦନାମ କରିବା ପାଇଁ ତାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ବ୍ୟବହାର କରିଥିଲେ । କିଛି ଫଟୋ ସେ ଯୁବତୀଙ୍କ ବାପା ପାଖକୁ ପଠାଇଥିଲେ ଏବଂ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ନବୀନଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ