ମୁମ୍ବାଇ: କଳଙ୍କିତ ହେଲା ରକ୍ତ ସମ୍ପର୍କ । ନିଜର ଜନ୍ମକଲା ଝିଅ ସହ ଦୁଷ୍କର୍ମ କଲା ବାପା । ଥରେ କି ଦୁଇଥର ନୁହେଁ, ୫ ବର୍ଷ ହେଲାଣି ଜହ୍ଲାଦ ବାପା ମଦ ନିଶାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଆସୁଥିଲା । ସମାଜରେ ବାପ ଝିଅର ସମ୍ପର୍କ ସବୁଠୁ ପବିତ୍ର କୁହାଯାଉଥିବାବେଳେ ସମସ୍ତଙ୍କୁ ବିଚଳିତ କଲାଭଳି ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ପୁଣେରୁ । ଏହି କୁକର୍ମକୁ ପୀଡିତାଙ୍କ ସାବତ ମାଆ ସମର୍ଥନ କରୁଥିଲେ । ଏନେଇ ପୀଡିତା ବନ୍ଧୁଙ୍କ ସହାୟତାରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।
ସୂଚନା ମୁତାବକ, ଗତ ରବିବାର ଦିନ ନାବାଳିକା ଜଣକ ପୁଣେ ୟେରାୱାଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ଅନୁଯାୟୀ, ପୀଡିତା ୫ ବର୍ଷର ଥିବାବେଳେ ତାଙ୍କ ମାଆ ଓ ବାପା ଅଲଗା ହୋଇଯାଇଥିଲେ । ଏହାପରେ ବାପା ଦ୍ବିତୀୟ ବିବାହ କରିଥିଲେ ଏବଂ ସେ ବାପା ପାଖରେ ରହିଆସୁଥିଲେ । ପ୍ରଥମେ ୧୨ ବର୍ଷ ବୟସରେ ନାବାଳିକା ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏ ସମ୍ପର୍କରେ ପୀଡିତା ନିଜ ସାବତ ମାଆକୁ ଜଣାଇଥିଲେ ମଧ୍ୟ ସେ ତାଙ୍କ କଥା ଶୁଣିବା ବଦଳରେ ଓଲଟା ବାପାଙ୍କୁ ସମର୍ଥନ କରିଥିଲେ । ଏହିପରି ଭାବେ ୫ ବର୍ଷ ହେଲା ମଦ ପିଇ ବାରମ୍ବାର ଅଭିଯୁକ୍ତ ନିଜ ଝିଅ ସହ ଦୁଷ୍କର୍ମ କରିଆସୁଥିଲା ।
କିଛି ଦିନ ତଳେ ପୀଡିତାଙ୍କ ଯୁକ୍ତ ଦୁଇ ପରୀକ୍ଷା ଥିଲା । ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାବେଳେ ଦିନେ ଅଭିଯୁକ୍ତ ବାପା ତାଙ୍କର ରୁମ୍କୁ ଆସି ପାଠପଢା ବନ୍ଦ କରିବାକୁ ଧମକ ଦେଇଥିଲେ । ପାଠ ବଦଳରେ ଘର କାମ ଶିଖିବାକୁ ସେ ବାଧ୍ୟ କରିଥିଲେ । ଏପରିକି ଝିଅ ଯେମିତି ପରୀକ୍ଷା ନଦେଇପାରେ ସେଥିପାଇଁ ସେ ତାଙ୍କର ଆଡମିଟ୍ କାର୍ଡ ଚିରି ଦେଇଥିଲେ । ଏହାପରେ ନାବାଳିକା କାନ୍ଦି କାନ୍ଦି ନିଜ ସାଙ୍ଗ ଘରେ ପହଞ୍ଚି ସହାୟତା ମାଗିଥିଲେ । ଆଡମିଟ କାର୍ଡର ଫଟୋକପି ସହାୟତାରେ ସେ ପରୀକ୍ଷା ଦେଇପାରିବେ ବୋଲି ତାଙ୍କର ସାଙ୍ଗ ଜଣାଇଥିଲେ ।
ଏହି ସମୟରେ ନାବାଳିକା ନିଜ ବାପାଙ୍କ ଯୌନ ନିର୍ଯାତନା ସମ୍ପର୍କରେ ସାଙ୍ଗକୁ କହିଥିଲେ । ସବୁକଥା ଶୁଣି ସାରି ଏନେଇ ଥାନାରେ ଅଭିଯୋଗ କରିବାକୁ ସାଙ୍ଗର ପରାମର୍ଶକ୍ରମେ ନାବାଳିକା ପୋଲିସ ନିକଟରେ ପହଞ୍ଚି ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରିଛି । ୟେରାୱାଡା ଥାନା ଇନ୍ସପେକ୍ଟର ଉତ୍ତମ ଚାକୋରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ