ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଲିଭ୍ ଇନ୍ ରିଲେସନସିପରେ ରହୁଥିବା ଜଣେ ଯୁବକ ନିଜ ପ୍ରେମିକାର ନାକକୁ କୁରାଢିରେ କାଟି ଦେଇଛି । ଉକ୍ତ ମହିଳାଙ୍କ ଦୋଷ କେବଳ ଏତିକି ଥିଲା କି, ମଦ ପାଇଁ ଯୁବକ ଜଣକ ୨୦୦ ଟଙ୍କା ମାଗିବାରୁ ସେ ମନା କରିଦେଇଥିଲେ ।
ଘଟଣାଟି ଘଟିଛି ଖଣ୍ଡଓ୍ବାର ବମନ ଗାଁରେ । ୩୫ ବର୍ଷୀୟା ମହିଳା ସୋନୁ ପ୍ରେମିକ ଲବକୁଶ ସହିତ ୨ ବର୍ଷ ଧରି ଲିଭ୍ ଇନରେ ରହୁଥିଲେ । ୮ ବର୍ଷ ତଳେ ସୋନୁଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି । ସ୍ବାମୀଙ୍କ ମୃତ୍ୟୁ ପରେ ସୋନୁ କ୍ଷେତରେ କାମ କରି ପେଟ ପୋଷୁଛନ୍ତି । ଏପଟେ ଆଉ ତାଙ୍କ ପ୍ରେମୀକ ସବୁବେଳେ ମଦ ନିଶାରେ ରହୁଥିଲା । କିଛି କାମ ଧନ୍ଦା କରୁନଥିଲା ।
ଶନିବାର ସକାଳେ ସେ ମଦ ନିଶାରେ ପୂରା ଚୁର୍ ଥିଲା । ପୁଣି ମଦ ପିଇବା ପାଇଁ ସୋନୁଙ୍କୁ ଟଙ୍କା ମାଗୁଥିଲା । ସେହି ସମୟରେ ସୋନୁ କାମ କରିବାକୁ କ୍ଷେତକୁ ଯାଉଥିଲେ । ଫଳରେ ଟଙ୍କା ଦେବାକୁ ମନା କରିବାରୁ ରାଗରେ ପ୍ରେମିକ ଲବକୁଶ କୁରାଢିରେ ନାକ କାଟିଦେଲା । ଖଣ୍ଡୱା ସିଟି କୋତୱାଲିର ଦାୟିତ୍ବରେ ଥିବା ବଲଜିତ ସିଂ ବିସେନ୍ କହିଛନ୍ତି ଯେ ପଡୋଶୀଙ୍କ ସହାୟତାରେ ସୋନୁଙ୍କୁ ଡାକ୍ତରଖାନା ନିଆଯାଇଛି। ଚିକିତ୍ସା ପରେ ସେ ବର୍ତ୍ତମାନ ବିପଦ ମୁକ୍ତ ଛନ୍ତି ।
ଲବକୁଶଙ୍କ ନାଁରେ କୋତୱାଲୀ ପୋଲିସ ଆଇପିସି ଧାରା 307 ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି ।