ମୁମ୍ବାଇ: ମହାରାଷ୍ଟ୍ରରେ ଚାଞ୍ଚଲ୍ୟ । ଗାର୍ଲଫ୍ରେଣ୍ଡ ପାଇଁ ପିତା ପାଲଟିଲା ପିଶାଚ। ନିଜ ଦୁଇ ବର୍ଷର ଶିଶୁକୁ ହତ୍ୟା ପରେ ବ୍ୟାଗରେ ଭର୍ତ୍ତି କରି ଡ୍ରେନକୁ ଫୋପାଡି ଦେଲା ଜନ୍ମ କଲା ବାପା। ଗାର୍ଲଫ୍ରେଣ୍ଡକୁ ବିବାହ କରିବା ପାଇଁ ଏପରି କାଣ୍ଡ ଭିଆଇଥିଲା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।
ଏହି ଘଟଣାରେ ମୁମ୍ବାଇ ପୋଲିସ କହିଛି ଯେ, "ଗିରଫ ଅଭିଯୁକ୍ତ ଜଣଙ୍କ ବିବାହିତ ହୋଇଥିବା ବେଳେ ତାଙ୍କର ଗାର୍ଲଫ୍ରେଣ୍ଡ ଥିଲା । ସେ ତାଙ୍କ 2 ବର୍ଷର ଶିଶୁ ଓ ପତ୍ନୀଙ୍କୁ ଛାଡିଲେ ବିବାହ କରିବେ ବୋଲି କହିଥିଲା ଗାର୍ଲଫ୍ରେଣ୍ଡ । ତେଣୁ ସେ ଏପରି ହତ୍ୟାକାଣ୍ଡ ରଚିଥିଲା । ନିଜ ଶିଶୁ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ବ୍ୟାଗରେ ମୃତଦେହକୁ ଭର୍ତ୍ତି କରିଥିଲା । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ସେ ବ୍ୟାଗଟିକୁ ଡ୍ରେନ୍ରେ ଫୋପାଡି ଦେଇଥିଲା ।"
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ମୁମ୍ବାଇର ମହିମ ଅଞ୍ଚଳରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଗୋଟିଏ 2 ବର୍ଷ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଶିଶୁଟିର ପରିଚୟ ମିଳିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା । ନିଜ ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗରେ ମୁମ୍ବାଇର ଶାହୂନଗର ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଥିଲା । ଅଭିଯୁକ୍ତର ପତ୍ନୀ ବର୍ତ୍ତମାନ କେଉଁଠି ଅଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ପୋଲିସ ଆଗକୁ ତଦନ୍ତ ଜାରି ରଖିବ। ଅଭିଯୁକ୍ତର ଗାର୍ଲଫ୍ରେଣ୍ଡକୁ ପୋଲିସ ପଚରାଉଚରା କରିପାରେ ବୋଲି କୁହାଯାଉଛି ।
ବୁଧବାର ଅହମ୍ମଦାବାଦ ସହରର ଏକ ଆପାର୍ଟମେଣ୍ଟର 10 ମହଲାରୁ ଏକ ନବଜାତ ଶିଶୁକୁ ଫିଙ୍ଗି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଚାନ୍ଦକେଡା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ କେହି ଜଣେ ଶିଶୁକୁ ଫିଙ୍ଗି ହତ୍ୟା କରିଥିବା ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ନବଜାତକର ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶିଶୁଟିର ପିତାମାତାଙ୍କ ବିଷୟରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ ।
ଗତବର୍ଷ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିଲା । ନିଶାସକ୍ତ ଅବସ୍ଥାରେ ନିଜ 4 ମାସ ଶିଶୁର ଗଳା ଚିପି ହତ୍ୟା କରିଥିଲା ବାପା । ଖିଲଚିପୁର ଜିଲ୍ଲା ଗୋନ୍ଦରମାଉ ଅଞ୍ଚଳରେ ଏଭଳି ହତ୍ୟା କାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିଲା ।