ଶ୍ରୀନଗର: ଘାଟିରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏକ ବଡ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ସେନା । ପାକିସ୍ତାନ ପଟୁ ଏହି ଅନୁପ୍ରବେଶ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ରୋକିବାରେ ସେନା ସଫଳତା ପାଇଛି । ସେନା ଗୁଳିରେ ଜଣେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଅପରେସନରେ ବିପୁଳ ନିଶାଦ୍ରବ୍ୟ ମଧ୍ୟ ଜବତ କରାଯାଇଛି । ଏପ୍ରିଲ 8 ତାରିଖ ରାତିରେ ସେନା ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଅପରେସନ ସମ୍ପର୍କରେ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 8 ତାରିଖ ମଧ୍ୟ ରାତିରେ ପୁଞ୍ଚ ସେକ୍ଟରରେ କିଛି ସନ୍ଦେହଜନକ ଗତିବିଧି ନେଇ ସେନାକୁ ସୂଚନା ମିଳିଥିଲା । ଏନେଇ ସେନାର ଏକ ଟିମ ଘଟଣାସ୍ଥଳ ଅଭିମୁଖେ ପୁରା ପ୍ରସ୍ତୁତି ସହ ଯାଇଥିଲେ । ସେଠାରେ 3ଜଣ ସନ୍ଦିଗ୍ଧ ସୀମା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ସେମାନଙ୍କୁ ସେନା ପକ୍ଷରୁ ଚେତାବନୀ ଦିଆଯିବା ସହ ଗୁଳି ମଧ୍ୟ ଚଳାଯାଇଥିଲା । ସେମାନେ ପାକିସ୍ତାନ ପଟକୁ ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ସେନା ଗୁଳିରେ ଜଣେ ଅନୁପ୍ରବେଶକାରୀ ଘଟଣାସ୍ଥଳରେ ନିପାତ ହେବା ସହ ଅନ୍ୟ ଦୁଇ ଆହତ ହୋଇ ଲୁଚି ଯାଇଥିଲେ ।
ତୁରନ୍ତ ଘଟଣାସ୍ଥଳ ନିକଟବର୍ତ୍ତୀ ସୀମାରେ କର୍ଡନ କରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯାଇଥିଲା । ନିକଟବର୍ତ୍ତୀ ସ୍ଥାନରେ ଏପରି କୌଣସି ଗତିବିଧି ଆଶଙ୍କା ଥିଲେ ସୁଦ୍ଧା ସେପରି କୌଣସି ଘଟଣା ସେନା ନଜର ଆସିନଥିଲା । ପରେ ରାତିରେ ଜାରି ରହିଥିବା ପାଟ୍ରୋଲିଂରେ ସେନା ନିପାତ ହୋଇଥିବା ଅନୁପ୍ରବେଶକାରୀର ମୃତଦେହ ଉଦ୍ଧାର କରିବାରେ ମଧ୍ୟ ସଫଳତା ପାଇଥିଲା । ଏନ୍କାଉଣ୍ଟର ସାଇଟର ମାତ୍ର କିଛି ମିଟର ଦୂରରେ ଏହି ମୃତଦେହ ଉଦ୍ଧାର କରାଯାଇଛି ।
ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପ୍ରଥମେ ଜଣେ ଅନୁପ୍ରବେଶକାରୀ ଆହତ ଅବସ୍ଥାରେ ଜୀବନ୍ତ ଧରାପଡିଥିଲା । ପରବର୍ତ୍ତୀ ସନ୍ଧାନରେ ତୃତୀୟ ଅନୁପ୍ରବେଶକାରୀ ମଧ୍ୟ ଜୀବନ୍ତ ଧରା ପଡିଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି । ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ତିନି ବ୍ୟାଗ, ପାକିସ୍ତାନୀ ମୁଦ୍ରା, କିଛି ଦଲିଲ ଏବଂ ଖାଦ୍ୟ ସାମଗ୍ରୀ ସହିତ ପ୍ରାୟ 17 କିଲୋଗ୍ରାମ ଓଜନର ନିଶାଦ୍ରବ୍ୟ ଜବତ କରାଯାଇଛି । ପ୍ରାଥମିକ ପଚରାଉଚରା ବେଳେ ଜୀବନ୍ତ ଧରାପଡିଥିବା ଦୁଇଜଣ ଅନୁପ୍ରବେଶକାରୀ, ସେମାନେ ତିନିଜଣ ପାକ ଅଧିକୃତ କାଶ୍ମୀର (PoK)ର ବାସିନ୍ଦା ବୋଲି ସ୍ବୀକାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ