ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି(Maharashtra Political Crisis)ର ସ୍ଥିତି ଯାହା ଏଥିରେ ବ୍ରିଟିଶ ନାଟ୍ୟକାରଙ୍କ ଲିଖିତ (Heads I win Tails you lose) ସେହିଭଳି ସ୍ଥିତି ଆଡକୁ ଯାଉଛି । 2019ରେ ସରକାର ଗଠନ କରୁ କରୁ ବଞ୍ଚିତ ହୋଇଥିବା ବିଜେପି ପାଇଁ ଏହି ଉକ୍ତି ଏବେ ସଫଳ ସାବ୍ୟସ୍ତ ହୋଇପାରେ । 2019ର ବିଫଳତାରୁ ଶିକ୍ଷା ନେଇ ବିଜେପି ବିଗ୍ରେଡିୟର ମାପିଚୁପି ଯୋଜାନବଦ୍ଧ ଭାବେ ଆଗକୁ ବଢୁଛନ୍ତି । କାରଣ ଯଦି ଯୋଜନାବଦ୍ଧ ଭାବେ ରଣନୀତିକୁ କାର୍ଯ୍ୟକାରୀ କରାଯାଏ, ତେବେ ବିଜୟ ନିଶ୍ଚିତ ।
ଗତକାଲି(ଗୁରୁବାର) ଶିବସେନା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ( Eknath Shinde) କହିଥିଲେ ଆମ ପଛରେ ଏକ ମହାଶକ୍ତି ଅଛି । ଏକ ଜାତୀୟ ଦଳର ସମର୍ଥନ ରହିଛି । ଯାହା ସିଧା ସିଧା ବିଜେପି ଆଡକୁ ଇଙ୍ଗିତ କରୁଛି । ତେବେ ସିନ୍ଧେଙ୍କ ଏହି ଦାବିକୁ କିନ୍ତୁ ପ୍ରତ୍ୟାଖାନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନେ (Union Minister Raosaheb Patil Danve) କହିଛନ୍ତି ଏଥିରେ ଆମର କୌଣସି ଭୂମିକା ନାହିଁ । ଯାହା ହେଉଛି ତାହା ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର । ଏଥିରେ ଆମର କିଛି ଭୂମିକା ନାହିଁ ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହାରାଷ୍ଚ୍ର ରାଜନୀତିରେ ଯାହା ସବୁ କିଛି ଘଟୁଛି, ତାରି ପଛରେ ବିଜେପି ରହିଛି । କାରଣ ବିଦ୍ରୋହୀ ବିଧାୟକ ପ୍ରଥମେ ରାଜ୍ୟ ଛାଡି ଗୁଜୁରାଟ ଗଲେ, ସେଠାରୁ ଆସାମ ରାଜଧାନୀ ଗୌହ୍ବାଟି ସ୍ଥାନାନ୍ତର ହୋଇଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟ, ହୋଟେଲ ବ୍ୟବସ୍ଥା ହୋଇଥିଲା । ଆଉ ଉଭୟ ରାଜ୍ୟରେ ବିଜେପି ସରକାର ରହିଛି । ତେଣୁ ବିନା ବିଜେପିର ସହଯୋଗରେ ଏହା ସମ୍ଭବ ନୁହେଁ । କୁହାଯାଉଛି ବିଦ୍ରୋହୀ ବିଧାୟକ ଆସାମ ପହଞ୍ଚିବା ପୂର୍ବରୁ ହୋଟେଲ ରେଡିସୋନ ବ୍ଲୁ ବୁକ ହୋଇଥିଲା ସେହି ହୋଟେଲ ଯାଇ ବ୍ୟବସ୍ଥା ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।
ରାଜନୈତିକ ସମୀକ୍ଷଙ୍କ ମତ ଅନୁସାରେ ବିଜେପି କେବଳ ନିଜ କ୍ଷତରେ ମଲମ ଲଗାଇବା ପାଇଁ ଏହା କରୁନାହିଁ । ଏହାଦ୍ବାରା ଦଳର ବଡ ଯୋଜନା ରହିଛି । କାରଣ 2019 ରେ ଗଠନ ହୋଇଥିବା ମହାବିକାଶ ଅଘାଡି ସରକାର(Maha Vikas Aghadi ) ) ବେଶୀ ଦିନ ଚାଲି ପାରିବ ନାହିଁ ବୋଲି ନିଶ୍ଚିତ ରହିଛି ବିଜେପି । କାରଣ 3 ଦଳ 3 ଟି ଭିନ୍ନ ବିଚାରଧାରାକୁ ନେଇ ରାଜନୀତି କରୁଛନ୍ତି । ହେଲେ ଅଭିଜ୍ଞ ଶରଦ ପାୱାର(Sharad Pawar) ଙ୍କ ରଣନୀତି ପାଇଁ 3 ଦଳ ଏକାଠି ହୋଇ ଶାସନ କରୁଛନ୍ତି ।
ଏମଭିଏ ସରକାର ଗଠନ ପରେ ସ୍ବାଭାବିକ ଭାବେ ଶିବସେନାରେ ଏକ ବିଦ୍ରୋହର ଜ୍ବାଳା କୁହୁଳୁ ଥିଲା । ଯାହା ଧୀରେ ଧୀରେ ଏବେ ଜଳିଛି । କାରଣ ଶିବସେନାର ମୂଳ ବିଚାରଧାରା ହିନ୍ଦୁତ୍ବ ଏହି ମେଣ୍ଚ ପାଇଁ ପ୍ରଶ୍ନ ଘେରରେ ରହିଛି । ଫଳରେ ଦଳରେ ବିଭାଜନ ହେବା କୌଣସି ଅସ୍ବାଭାବିକ ନୁହେଁ । ହେଲେ ମଜାଦାର କଥା ହେଉଛି ଏହି ବିଭାଜନ ସେତେବେଳେ ହେଉଛି, ଯେତେବେଳେ ଦେଶରେ ରାଷ୍ଚ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ରାଜନୈତିକ ସଂକଟ ପାଇଁ ଏବେ ମହାରାଷ୍ଟ୍ରର ତିନି ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ନିଜ ରଣନୀତି କି ଭୋଟ ଯୋଜନା ଅନୁସାରେ ଦେଇପାରିବେ ନାହିଁ । କାରଣ ନିଜ ନିଜ ଦଳ ସହ ସରକାର ବଞ୍ଚାଇବା ପାଇଁ 3 ଦଳ ଲିପ୍ତ ରହିଛନ୍ତି । ଏପରି ସ୍ଥଳେ ରାଷ୍ଚ୍ରପତି ନିର୍ବାଚନକୁ ପଚାରେ କିଏ ।
ଯଦିଓ ରାଷ୍ଟ୍ରପତି ନିର୍ବାଚନ ନେଇ ଏନଡିଏକୁ କିମ୍ବା ବିଜେପିକୁ କୌଣସି ସଂକଟ ନାହିଁ । କାରଣ ଏନଡିଏ ଭୋଟ ବ୍ୟତୀତ ବିଜୟ ପାଇଁ ଆବଶ୍ୟକ ହେଉଥିବା ଅବଶିଷ୍ଟ ଭୋଟ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ଘୋଷଣା ପରେ ଏନଡିଏ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ।
ବିଜେପି ରାଷ୍ଟ୍ରପତି ନିର୍ବାଚନକୁ ନଜରରେ ରଖି ଶିବସେନାର ବିଦ୍ରୋହରେ ସହାୟତ କରୁଥାଇ ପାରେ । କାରଣ ଯଦି ରାଷ୍ଚ୍ରପତି ନିର୍ବାଚନ ପୂର୍ବରୁ ବିଧାନସଭା ଭାଙ୍ଗିଯାଏ, ତେବେ ମଧ୍ୟ ବିଜେପି ରାଷ୍ଚ୍ରପତି ନିର୍ବାଚନରେ ଲାଭରେ ରହିବ, ଯଦି ବିଦ୍ରୋହୀ ବିଧାୟକ ବିଜେପିରେ ସାମିଲ ହୋଇ ନୂଆ ସରକାର ଗଠନ କରିନ୍ତି ତେବେ ମଧ୍ୟ ବିଜେପି ଲାଭାରେ ରହିବ, କାରଣ 288 ବିଧାନସଭା ଆସନରୁ ବିଜେପି ନିଜର ଓ ବିଦ୍ରୋହୀ ବିଧାୟକଙ୍କ ଭୋଟ ସିଧା ସଳଖ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଯିବ । ଯଦି ସରକାର ଭାଙ୍ଗିଯାଏ ମଧ୍ୟ ବିଜେପିକୁ ସେଭଳି କୌଣସି କ୍ଷତି ହେବ ନାହିଁ । କାରଣ ଦଳର ସିନା 106 ସହଯୋଗୀ 7 ମୋଟ 113 ବିଧାୟକଙ୍କ ଭୋଟ ହରାଇବ କିନ୍ତୁ ମହାରାଷ୍ଟ୍ର ସରକାର 175 ଭୋଟ କ୍ଷତି କରାଇବାରେ ସଫଳ ହେବ । ଯାହାକୁ ନେଇ ଏବେ ବିଜେପି ଏକ ପ୍ରକାର ସୁବିଧା ଜନକ ସ୍ଥିତିରେ ରହିଛି।