ଳକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ନିଧନକୁ ୨୪ ଘଣ୍ଟା ବିତିଗଲାଣି । ଏହି କଥିତ ଆତ୍ମହତ୍ୟା ଘଟଣା ପରେ ଏବେ ଅନେକ ପ୍ରଶ୍ନ ଉଠିଛି । ଏହାବାଦ ମହନ୍ତ ନରେନ୍ଦ୍ର ଗିରି ମହାରାଜ ଛାଡିଯାଇଥିବା ସୁସାଇଡ୍ ନୋଟ ବି ଆହୁରି ପ୍ରଶ୍ନକୁ ଜନ୍ମ ଦେଇଛି । ଯାହାର ଉତ୍ତର ଏବେ କୋଟି କୋଟି ସନାତନ ଧର୍ମାବଲମ୍ବୀ ଓ ସାଧୁ ସନ୍ଥ ମାଗୁଛନ୍ତି ।
ସୁସାଇଡ ନୋଟ ଆଜି ସାର୍ବଜନୀନ କରିଛି ୟୁପି ପୋଲିସ । ଏହି ୮ ପୃଷ୍ଠାର ସୁସାଇଡ ନୋଟରୁ ଏହା ସ୍ପଷ୍ଟ ଯେ ମହନ୍ତ ନରେନ୍ଦ୍ର ଗିରି ମହାରାଜ ଅନେକ ଚିନ୍ତିତ ଥିଲେ । କିନ୍ତୁ କେଉଁ କେଉଁ ପ୍ରସଙ୍ଗରେ ମହାରାଜ ଚିନ୍ତିତ ଥିଲେ ତାହା ଅସ୍ପଷ୍ଟ ରହିଛି । ଫଳରେ ମହାରାଜଙ୍କୁ କିଏ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ଉତ୍ପନ୍ନ କରିଥିଲା ତାହା ମଧ୍ୟ ଅନେକାଶଂରେ ରହସ୍ୟ ଘେରରେ ।
ହୋଇଥାନ୍ତା ଫଟୋ ଭାଇରାଲ..
ସେହିପରି ଦ୍ବିତୀୟ ପୃଷ୍ଠାରେ ଲେଖିଛନ୍ତି କି, ଆଜି ହରିଦ୍ବାରରୁ ସୂଚନା ଆସିଛି, ଆଗାମୀ ୧ ରୁ ୨ ଦିନ ମଧ୍ୟରେ ଆନନ୍ଦ ଗିରି ମୋର ଫଟୋ ମହିଳାଙ୍କ ଫଟୋ ସହ ଯୋଡି ଭାଇରାଲ କରିବ । ମୁଁ ମହନ୍ତ ନରେନ୍ଦ୍ର ଗିରି । ସମ୍ମାନର ସହ ବଞ୍ଚିଛି । ସମ୍ମାନ ବିନା ବଞ୍ଚିପାରିବି ନାହିଁ । ଯଦି ଏହି ଷଡଯନ୍ତ୍ର ହୁଏ, ମୁଁ କାହାକୁ ସଫେଇ ଦେବି । କାହାକୁ କଣ ଉତ୍ତର ଦେବି ? ତେଣୁ ମୁଁ ଆତ୍ମହତ୍ୟା କରୁଛି ।
ମୋର ମୃତ୍ୟୁ ପାଇଁ ଏମାନେ ଦାୟୀ...
ମୋର ଆତ୍ମହତ୍ୟା ପାଇଁ କେବଳ ୩ ଜଣ ଦାୟୀ ରହିବେ । ସେହି ୩ ଜଣ ହେଉଛନ୍ତି ମହନ୍ତଙ୍କ ନିଜ ଶିଷ୍ୟ ଆନନ୍ଦ ଗିରି, ହନୁମାନ ମନ୍ଦିର ପୂଜକ ଆଧ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ । ଏହି ୩ ଜଣ ହିଁ ତାଙ୍କୁ ଚାପ ପକାଉଥିଲେ । କିନ୍ତୁ କେଉଁ ପ୍ରସଙ୍ଗରେ ଏମାନେ ଚାପ ପକାଉଥିଲେ ତାହା ମହାରାଜ ସ୍ପଷ୍ଟ କରିନାହାଁନ୍ତି । ମହନ୍ତ ଏହା ମଧ୍ୟ କହିଛନ୍ତି ମୋର ପ୍ରୟାଗରାଜ ପୋଲିସ ପ୍ରଶାସନକୁ ଅନୁରୋଧ, ଏହି ୩ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବେ । ଫଳରେ ମୋର ଆତ୍ମାକୁ ଶାନ୍ତି ମିଳିବ ।
ଏହି ଦିନ କରିଥାନ୍ତି ଆତ୍ମହତ୍ୟା...
ସେହିପରି ଆଉ ଏକ ପୃଷ୍ଠାରେ ଲେଖିଛନ୍ତି, ଏମିତିରେ ଏଭଳି ଚାପ ପାଇଁ ମୁଁ ୧୩ ସେପ୍ଟେମ୍ବରରେ ଆତ୍ମହତ୍ୟା କରିବାକୁ ଯାଉଥିଲି । ହେଲେ ସାହାସ ଜୁଟାଇ ପାରିନଥିଲି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସମସ୍ତ ପୃଷ୍ଠାର ତଳେ ନିଜ ଦସ୍ତଖତ କରିବା ସହ ଓଁ ନମଃ ନାରାୟଣ ମଧ୍ୟ ଲେଖି ଯାଇଛନ୍ତି ।
ଉତ୍ତରାଧିକାରୀ ଘୋଷଣା କରିଯାଇଛନ୍ତି..
ସେହିଭଳି ମହନ୍ତ ନରେନ୍ଦ୍ର ଗିରି ଗୋଟିଏ ପୃଷ୍ଠାରେ ଲେଖିଛନ୍ତି ପ୍ରିୟ ବଲବୀରଙ୍କୁ ମଠ ମନ୍ଦିରର ପରିଚାଳନା ଦାୟିତ୍ବ ସହ ଉତ୍ତରାଧିକାରୀ କରିବାକୁ କହିଛନ୍ତି । ମଠ ମନ୍ଦିର ମୁଁ ଯେମିତି ପରିଚାଳନା କରୁଥିଲି ସେମିତି ବଜାୟ ରଖିବ । ଏତତ ବ୍ୟତୀତ ଆଶୁତୋଷ ଗିରି, ନିତେଶ ଗିରି ଏବଂ ମନ୍ଦିରର ସମସ୍ତ ମାହାତ୍ମ ବଳବୀରଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହାସହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ମତେ ଯେମିତି ସହଯୋଗ ସମ୍ମାନ କରୁଥିଲେ ସମସ୍ତେ ପ୍ରିୟ ଶିଷ୍ୟ ବଳବୀରଙ୍କୁ ମଧ୍ୟ କରିବ । ଏହାବାଦ ମଠ ମନ୍ଦିରରେ ଥିବା ଶିଷ୍ୟଙ୍କ ସମସ୍ତ କଥା ବୁଝିବା ଓ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିଜ ଉତ୍ତରାଧିକାରୀଙ୍କୁ ନିବେଦନ କରିଛନ୍ତି । ମୁଁ ଗଲା ପରେ ଯେମିତି କୌଣସି ସଂକଟ ଉତ୍ପନ୍ନ ନହୁଏ, ସମସ୍ତ ପରମ୍ପରା ବଜାୟ ରୁହେ ତାହା ଧ୍ୟାନରେ ରଖିବ । ନିଜ ଉତ୍ତରାଧିକାରୀଙ୍କୁ ଏହା ମଧ୍ୟ ଅପିଲ କରିଛନ୍ତି ମୋର ଅନ୍ତେ ଯେମିତି କୌଣସି ଶିଷ୍ୟଙ୍କ କୌଣସି ସମସ୍ୟା ନହୁଏ ।
ଯେଉଁ ପଦରେ ଅଛି ତାହା ଗରିମାମୟ ପଦ...
ପୃଷ୍ଠା ୪ ରେ ମହନ୍ତ ନରେନ୍ଦ୍ର ଗିରି ମହାରାଜ ଲେଖିଛନ୍ତି, ମତେ ବଦନାମ କରିବା ପାଇଁ ଅନେକ ଉଦ୍ୟମ ହୋଇଛି । ଅନେକ ଧମକ ମିଳିଛି । ଯଦି ଥରେ ମୁଁ ବଦନାମ ହୋଇଯିବି କାହାକୁ କଣ ଉତ୍ତର ଦେବି । କାହାକୁ ସଫେଇ ଦେବି । ମୁଁ ଯେଉଁ ପଦରେ ଅଧିଷ୍ଠିତ ଅଛି ତାହା ଏକ ଗରିମାମୟ ପଦ । ସନାତନ ସଂସ୍କୃତିରେ ଏହି ପଦର ମର୍ଯ୍ୟଦା ଓ ସମ୍ମାନର ତୁଳନା ନାହିଁ । ଏପରି ସ୍ଥଳେ ସେହି ପଦ ମର୍ଯ୍ୟଦାର ବଦନାମ ମୁଁ କେମିତି ଗ୍ରହଣ କରିବି ? କାରଣ ସତ ତ ପରେ ହିଁ ଆସିବ । କିନ୍ତୁ ମୁଁ ଆଗ ତ ବଦନାମ ହୋଇଯିବି । ତେଣୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ।
ବ୍ୟବସାୟକୁ ନେଇ ମଧ୍ୟ କହିଛନ୍ତି ଏକଥା...
ଅନ୍ୟ ଏକ ପୃଷ୍ଠାରେ ଲେଖିଛନ୍ତି କେଉଁ ଶିଷ୍ୟଙ୍କୁ କେଉଁ ଦୋକାନ କେତେ ଟଙ୍କା ଭଡାରେ ଦେବାକୁ କହିଛନ୍ତି । ଖାଲି ଏତିକି ନୁହେଁ, ରିୟଲ ଇଷ୍ଟେଟ ଦୁନିଆରେ ୨୫ ଲକ୍ଷ ଟଙ୍କାର କାରବାରକୁ ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି । ଏହାସହ କହିଛନ୍ତି ୨୦୦୪ ରେ ମୁଁ ମଠର ଦାୟିତ୍ବ ନେଲି । ସେହି ଦିନ ଠାରୁ ଯାହା ବିକାଶ ହୋଇଛି ତାହା ଭକ୍ତ ଜନ ଜାଣନ୍ତି । ଆନନ୍ଦ ଗିରି ଯେଉଁ ଅଭିଯୋଗ ଲଗାଇଛନ୍ତି ସେଥିରେ ମୁଁ ଗଭୀର ଭାବେ ଆହତ ହୋଇଛି ।
ନିଜ ସମାଧି ପାଇଁ ସ୍ଥାନ ମଧ୍ୟ ଲେଖିଲେ...
ମହନ୍ତ ନରେନ୍ଦ୍ର ଗିରି ମହାରାଜ ଛାଡି ଯାଇଥିବା ଚିଠିରେ ନିଜ ସମାଧି ପାଇଁ ସ୍ଥାନ ମଧ୍ୟ ଚିହ୍ନଟ କରିଯାଇଛନ୍ତି । ଲେଖିଛନ୍ତି ବାଘମ୍ବରୀ ମଠ ପରିସରରେ ଥିବା ପାର୍କର ଲେମ୍ବୁ ଗଛ ତଳେ ମତେ ସମାଧି ଦେବ । ଏହା ମୋର ଶେଷ ଇଚ୍ଛା ।
@IANS