ଭୋପାଳ: ମଧ୍ୟପ୍ରଦେଶର ଝାବୁଆ ସ୍ଥିତ ପଲିଟେକ୍ନିକ୍ କଲେଜର ହଷ୍ଟେଲରେ କିଛି ଛାତ୍ର ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରିଥିଲେ । ଏଥିରେ ଭୟଭୀତ ହୋଇ ଜଣେ ଛାତ୍ର ଅଭିଯୋଗ କରିବାପାଇଁ ଥାନାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୋଲିସ ତାଙ୍କର ଅଭିଯୋଗ ନଶୁଣି ତାଙ୍କୁ ହଷ୍ଟେଲ ଫେରିଯିବାକୁ କହିଥିଲା । ତେବେ ପୋଲିସ ଥାନାରେ ଅଭିଯୋଗ ନଶୁଣିବାରୁ ଛାତ୍ର ଜଣକ ସେଠାକାର କାର୍ଯ୍ୟରତ ଏସପିଙ୍କୁ ଫୋନ କରି ଘଟଣା ବିଷୟରେ ସୂଚନା ଦେବା ସହିତ ସୁରକ୍ଷା ପାଇଁ ଗୁହାରୀ କରିଥିଲେ ।
ଏସପି ମଧ୍ୟ ଅଭିଯୋଗ ଶୁଣିବା ପରିବର୍ତ୍ତେ ଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ । ତେବେ ଏହାର କଲ ରେକର୍ଡ଼ିଂ ଭାଇରାଲ ହେବାପରେ ଏସପିଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ମଧ୍ୟପ୍ରଦେଶର ଝାବୁଆ ସ୍ଥିତ ପଲିଟେକ୍ନିକ୍ କଲେଜର ହଷ୍ଟେଲରେ ଗତକାଲି (ରବିବାର) ରାତିରେ କିଛି ଛାତ୍ର ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରିଥିଲେ । ଏଥିରେ ଭୟଭୀତ ଜଣେ ଛାତ୍ର ସୁରକ୍ଷା ପାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଏଠାରେ ପୋଲିସ ଛାତ୍ରଙ୍କର ଅଭିଯୋଗ ରଖିନଥିଲା । ଛାତ୍ରଙ୍କୁ ଖରାପ ବ୍ୟବହାର ଦେଖାଇ ସେଠାରୁ ହଷ୍ଟେଲ ଫେରିଯିବା ପାଇଁ ଧମକ ଦେଇଥିଲା । ତେବେ ଥାନାରେ ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ଛାତ୍ର ଜଣକ ଏସପି ଅରବିନ୍ଦ ତିୱାରୀଙ୍କୁ ଫୋନ କରି ଘଟଣା ବିଷୟରେ ସୂଚନା ଦେଇ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏସପି ଅରବିନ୍ଦ ତିୱାରୀ ମଧ୍ୟ ଛାତ୍ରଙ୍କ ଗୁହାରୀ ନଶୁଣି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାର କଲ ରେକର୍ଡ଼ିଂ ଏବେ ଭାଇରାଲ ହେବାରେ ଲାଗିଛି ।
ଭଇରାଲ ହେଉଥିବା କଲ ରେକର୍ଡ଼ିଂରେ ଛାତ୍ର ଜଣଙ୍କ ଏସପିଙ୍କୁ ନିଜର ପରିଚୟ ଦେଇ ହଷ୍ଟେଲରେ ୨୦ରୁ ୨୫ ଜଣ ଛାତ୍ର ମଦ୍ୟପାନ କରି ସମସ୍ତଙ୍କୁ ମାରପିଟ କରୁଥିବା ଅଭିଯୋଗ କରିଥିବା ଶୁଣାଯାଉଛି । ଏହା ସହିତ ସେ ସୁରକ୍ଷା ପାଇଁ ମଧ୍ୟ ଏସପିଙ୍କୁ ଗୁହାରୀ କରିଥିଲେ । ତେବେ ଏସପି ଅରବିନ୍ଦ ତିୱାରୀ ଛାତ୍ରଙ୍କୁ ଗାଳି କରି ସେମାନଙ୍କ ସହିତ ଅଭିଯୋଗକାରୀ ଛାତ୍ରଙ୍କୁ ମଧ୍ୟ ଜେଲରେ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ଛାତ୍ର ଜଣକ ସୁରକ୍ଷା ପାଇଁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ଏସପି ତାଙ୍କୁ ଅତି ଖରାପ ଭାଷାରେ ଗାଳି ଦେଇଥିବା ସେହି ଭଇରାଲ କଲ ରେକର୍ଡ଼ିଂରେ ଶୁଣିବାକୁ ମିଳିଛି ।
ତେବେ ଏହି କଲ ରେକର୍ଡ଼ିଂ ଭାଇରାଲ ହେବାପରେ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏସପି ଅରବିନ୍ଦ ତିୱାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ଛାତ୍ରଙ୍କ ସହିତ ଏସପି ଯେଉଁଭଳି ଭାଷାରେ କଥା ହୋଇଛନ୍ତି, ତାହା ଅଶୋଭନୀୟ । ଛାତ୍ରମାନଙ୍କ ସହିତ ଏଭଳି ବ୍ୟବହାର କରିବା ଅନୁଚିତ । ତେବେ ଏସପି ଅରବିନ୍ଦ ତିୱାରୀ ଗତ ମେ ମାସ ୧୬ ତାରିଖରେ ଝାବୁଆ ଜିଲ୍ଲାର ଏସପି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର କାର୍ଯ୍ୟକାଳକୁ ୪ ମାସ ନପୂରୁଣୁ ଏଭଳି ବ୍ୟବହାର ପାଇଁ ତାଙ୍କୁ ନିଲମ୍ବିତ କରିଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ