ଚଣ୍ଡିଗଡ: ପଞ୍ଜାବ ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ(Ludhiana court blast) ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିଲା ୨ କିଲୋଗ୍ରାମର ଆରଡିଏକ୍ସ(RDX ) । ଫରେନ୍ସିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପଞ୍ଜାବ ପୋଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ବିସ୍ଫୋରଣ ଯୋଗୁଁ ପାଣି ପାଇପ ଲାଇନ ଫାଟି ଯାଇଥିଲା । ଯଦ୍ବାରା ପାଣିରେ ବହୁ ପରିମାଣର ବିସ୍ଫୋରକ ପଦାର୍ଥ ଭାସି ଯାଇଥିଲା ।
ଅପରପକ୍ଷେ, ପ୍ରାଥମିକ ତଦନ୍ତରୁ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହିଁ ପ୍ରକୃତ ଷଡଯନ୍ତ୍ରକାରୀ ହୋଇଥିବା ଏନଏସଜି(NSG) ଏବଂ ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିସାରିଛି । ମୃତକ ଜଣକଙ୍କ ନାମ ଗଗନଦୀପ । ବଡ କଥା ହେଉଛି ସେ ଜଣେ ପୂର୍ବତନ ପୋଲିସ କର୍ମୀ । ଗଗନଦୀପ ପୂର୍ବରୁ ହେଡ୍ କନେଷ୍ଟବଳ ଥିଲେ । ତାଙ୍କୁ ୨୦୧୯ରେ ଚାକିରିରୁ ବହିଷ୍କାର କାରଯାଇଥିଲା । ଡ୍ରଗ୍ସ ଟ୍ରାଫିକିଂ ମାମଲାରେ ଜେଲ୍ ଦଣ୍ଡ ଭୋଗିବା ପରେ ସେ ନିକଟରେ ଜେଲରୁ ବାହାରି ଥିଲେ । ଏଥିସହ ଏହି ଭୟଙ୍କର ଧମାକା ପଛରେ ଆତଙ୍କୀ ଲିଙ୍କ୍ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।
ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖ ଦିନ ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ