ଚେନ୍ନାଇ: ଶ୍ରୀଲଙ୍କା ଗୃହଯୁଦ୍ଧରେ ପ୍ରାଣ ହରାଇଥିବା ବିଛିନ୍ନତାବାଦୀ ସଂଗଠନ LTTE ମୁଖ୍ୟ ପ୍ରଭାକରନଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ଜଣେ ତାମିଲ ନେତା । ପ୍ରଭାକରନ ଏବେ ମଧ୍ୟ ବଞ୍ଚିଛନ୍ତି ଓ ସେ ତାଙ୍କ ପରିବାର ସହ ଯୋଗାଯୋଗରେ ମଧ୍ୟ ରହିଛନ୍ତି ବୋଲି ଆଶ୍ଚର୍ଯ୍ୟଜନକ ଚାଞ୍ଚଲ୍ୟକର ଦାବି କରିଛନ୍ତି ତାମିଲ ନ୍ୟାସନାଲିଷ୍ଟ ପାର୍ଟି ପ୍ରତିଷ୍ଠାତା ପଜା ନେଦୁମରାମ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ନେଦୁମରାମ କହିଛନ୍ତି,‘‘ଏବେ ମଧ୍ୟ ପ୍ରଭାକନର ଜୀବିତ ଅଛନ୍ତି । ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ମଧ୍ୟ ଅଛନ୍ତି । ସେମାନଙ୍କ ଅନୁମତି କ୍ରମେ ମୁଁ ଏହି କଥାର ଘୋଷଣା କରୁଛି । 2009ରେ ଶ୍ରୀଲଙ୍କା ସେନା କାର୍ଯ୍ୟାନୁଷ୍ଠାନରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସମ୍ପୂର୍ଣ୍ଣ ମିଥ୍ୟା ପ୍ରାମାଣିତ ହେବାକୁ ଯାଉଛି । ଖୁବଶୀଘ୍ର ସେ ନିଜେ ସାମ୍ନାକୁ ଆସିବେ । ପ୍ରଭାକରନ ହେଉଛନ୍ତି ତାମିଲ ଜାତି ପାଇଁ ରାଷ୍ଟ୍ରୀୟ ନେତା । ତାଙ୍କୁ ସମଗ୍ର ବିଶ୍ବର ତାମିଲମାନଙ୍କ ସମର୍ଥନ ମଧ୍ୟ ରହିଛି ।’’
ତେବେ ଯଦି ସେ ଜୀବିତ ଅଛନ୍ତି, ତେବେ କେଉଁ ଠାରେ ଅଛନ୍ତି ତାହା କହିନାହାନ୍ତି ନେଦୁମରାମ । ନେଦୁମରାମ ହେଉଛନ୍ତି କଂଗ୍ରେସର ପୂର୍ବତନ ନେତା ଓ ତାଙ୍କୁ ଭି.ପ୍ରଭାକରନଙ୍କ ବେଶ ଘନିଷ୍ଠ ବୋଲି ବିଚାର କରାଯାଏ । ସେ ପ୍ରଭାକନରଙ୍କ ସହ ଅନେକ ଥର ସାକ୍ଷାତ ମଧ୍ୟ କରିଛନ୍ତି । ଶ୍ରୀଲଙ୍କାର ଭନି ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଏକାଧିକ ଥର ସାକ୍ଷାତ ହୋଇଥିବା ନେଇ ଏକାଧିକ ଫଟୋ ମଧ୍ୟ ରହିଛି ।
ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ମଧ୍ୟରେ 2009 ମସିହା ମେ’ 18 ତାରିଖରେ ଶ୍ରୀଲଙ୍କା ସେନା ଦ୍ବାରା ପ୍ରଭାକରନ ନିହତ ହୋଇଥିଲେ । ପରେ ତାଙ୍କର ମୃତଦେହ ଜବତ କରାଯିବା ସହ ଡିଏନଏ ନମୂନାରୁ ତାହା ପ୍ରଭାକରନଙ୍କ ବୋଲି ସ୍ପଷ୍ଟ ହୋଇଥିବା ଶ୍ରୀଲଙ୍କା ସେନା କହିଥିଲା । ଶ୍ରୀଲଙ୍କା ସରକାର ମଧ୍ୟ ପ୍ରଭାକରନଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ । ପ୍ରଭାକରନଙ୍କ ମୃତ୍ୟୁ ପରୋ ତାମିଲ ଇଲମ ବା LTTE ଶ୍ରୀଲଙ୍କାରେ ଅସ୍ତିତ୍ବ ହରାଇଥିଲା ।
ଶ୍ରୀଲଙ୍କାର ଏକ ବୃହତ ଅଂଶ ଅକ୍ତିଆରରେ ରଖି ତାମିଲ ଇଲମ ନାମରେ ଶାସନ ଚଳାଇଥିଲା LTTE । ଯାହାର ପ୍ରତିଷ୍ଠାତା ତଥା ସର୍ବୋଚ୍ଚ କମାଣ୍ଡର ଥିଲେ ପ୍ରଭାକରନ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ମଧ୍ୟ ଏହି ସଂଗଠନର ମୁଖ୍ୟ ଭୂମିକା ରହିଥିଲା । ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କର LTTE ଲିଙ୍କ୍ ସାମ୍ନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ