ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ବିକେ ସକ୍ସେନା । ନୂଆ ନୀତି ମୁତାବକ ଦିଲ୍ଲୀ ସରକାର ଆଇନକୁ ଅଣଦେଖା କରି ସରକାର ଟେଣ୍ଡର ଦେଇଥିବା ଅଭିଯୋଗ କରିଛନ୍ତି ଉପରାଜ୍ୟପାଳ । ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଗତ ବର୍ଷ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନୀତିରେ ଘରୋଇ ଅପରେଟରଙ୍କୁ ମଦ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାକୁ ନେଇ ପୂର୍ବରୁ ବିରୋଧୀ ବିଜେପି ମଧ୍ୟ ପ୍ରଶ୍ନ ଉଠାଇଥିଲା । ନୂଆ ଅବକାରୀ ନୀତି ଅନୁଯାୟୀ ପ୍ରତ୍ୟେକ ୱାର୍ଡରେ ୪ଟି ମଦ ଦୋକାନ ଖୋଲା ଯାଇଛି । ଯେଉଁସବୁ ସ୍ଥାନରେ ମଦ ଦୋକାନ ଖୋଲିଛି ସେଠାରେ ଲୋକେ ଧାରଣା ପ୍ରଦର୍ଶନ କରିଥିଲେ । ବିଶେଷ କରି ମହିଳା ଏହି ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ ।
ଏହି ଘଟଣା ଉପରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ବର୍ତ୍ତମାନ ସିବିଆଇ ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନୂଆ ଅବକାରୀ ନୀତି ଅନୁଯାୟୀ ମଦ ଦୋକାନ ଖୋଲାଯିବା ନେଇ ସମସ୍ତ ମାନଦଣ୍ଡକୁ ଅଣଦେଖା କରାଯାଇଛି । ଗତ ବର୍ଷ ନଭେମ୍ବର ୧୭ ତାରିଖରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ ଦିଲ୍ଲୀ ସରକାର । ଏହାପରେ ୮୪୯ ମଦ ଦୋକାନକୁ ମଞ୍ଜୁରୀ ଦେଇଛନ୍ତି ସରକାର । ଯେଉଁଥିରୁ ୬୦୦ ଦୋକାନ ଖୋଲା ସରିଛି ।