ଶ୍ରୀନଗର: ଜମ୍ମୁ କଶ୍ମୀର ବୁଡଗାମରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କୀଙ୍କ ଉପସ୍ଥିତି ନେଇ ଖବର ମିଳିବା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ । ଏହି ଅପରେସନରେ ଲସ୍କର-ଏ-ତୋଇବା (Let)ର 3 ଆତଙ୍କୀଙ୍କୁ କାବୁ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।
ଜମ୍ମୁ କଶ୍ମୀର ଏଡିଜିପିଙ୍କ ସୂଚନା ଅନୁଯାୟୀ, ଅନେକ ସାଧାରଣ ନାଗରିକଙ୍କ ହତ୍ୟା ଯେପରି ରାହୁଲ ଭଟ୍ଟ ଓ ଅମରିନ ଭଟ୍ଟଙ୍କ ହତ୍ୟାରେ ସାମିଲ ଆତଙ୍କୀ ଲାତିଫ ରାଥର କାବୁ ହୋଇଛି । ଲାତିଫ ରାଥରକୁ ମିଶାଇ ଆଉ ଦୁଇ ଆତଙ୍କୀ ମଧ୍ୟ ଧରାପଡିଛନ୍ତି । ବୁଡଗାମ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି କଶ୍ମୀର ପୋଲିସ ଓ ସୁରକ୍ଷାବଳର ମିଳିତ ଅପରେସନ ଆରମ୍ଭ ହୋଇଥିଲା । ବୁଡଗାମର ୱାଟରହାଲ ଅଞ୍ଚଳରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ 3 ଆତଙ୍କୀଙ୍କୁ କାବୁ କରିଥିଲା ସୁରକ୍ଷାବାହିନୀ ।
ପୂର୍ବରୁ ରବିବାର ବୁଡଗାମ ଅଞ୍ଚଳରୁ ଲସ୍କର-ଏ-ତୋଏବାର ଜଣେ ହାଇବ୍ରିଡ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା 34 ଆରଆର ୟୁନିଟ । ଗିରଫ ଆତଙ୍କୀ ହେଲା ସାନଗାମ ବୁଡଗାମର ଅର୍ସିଦ ଅହମ୍ମଦ ଭଟ । ଲୱାପୁରାରେ ଶ୍ରୀନଗର ପୋଲିସ ଏବଂ 2 ଆରଆର ମିଳିତ ଅପରେସନରେ ଏହି ସଫଳତା ମିଳିଥିଲା । ଆତଙ୍କୀଠୁ ବିଭିନ୍ନ ଅସ୍ତ୍ରଶସ୍ତ୍ର, 5ଟି ପିସ୍ତଲ, 5ଟି ମାଗାଜିନ, 50 ରାଉଣ୍ଡ ଗୁଳି ଏବଂ 2ଟି ଗ୍ରେନେଡ ଜବତ ହୋଇଥିଲା ।
ପ୍ରକାଶ ଥାଉକି, ମଇ 12ରେ ଚାଦୁର ତହସିଲ ଅଫିସ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କୀ ଗୁଳି କରି ହତ୍ୟା କରିଥିଲେ । ମଇ 26ରେ ବୁଡଗାମର ଚାଦୁର ଅଞ୍ଚଳରେ କଶ୍ମୀର ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ ।