ନୂଆଦିଲ୍ଲୀ: ଇଡି ଜାଲରେ ଫସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଲଗାତାର 3 ଦିନ ରାହୁଲଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି (ଗୁରୁବାର) ତାଙ୍କୁ ଜେରା ସମୟରେ ୟଙ୍ଗ ଇଣ୍ଡିଆନ-ଏଜେଏଲ ଡିଲ୍ କଥା ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ବୁଝିଥିଲେ ବୋଲି କହିଛନ୍ତି । ଏ ଡିଲ୍ରେ ଯାହା କିଛି ହୋଇଛି ସେଥିପାଇଁ ମୋତିଲାଲ ଭୋରା ହିଁ ଦାୟୀ ବୋଲି ଇଡି ଆଗରେ ରାହୁଲ କହିଥିବା ଖବର ପ୍ରକାଶ ପାଇଛି ।
ଲଗାତାର ତୃତୀୟ ଦିନରେ ରାହୁଲଙ୍କୁ ଜେରା କରିଥିଲା ଇଡି । ୟଙ୍ଗ ଇଣ୍ଡିଆନ-ଏଜେଏଲ (Associated Journals Ltd) ଡିଲ୍ର ସମସ୍ତ କଥା ମୋତିଲାଲା ଭୋରା ବୁଝୁଥିଲେ । ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ମଧ୍ୟରେ ହୋଇଥିବା ସମସ୍ତ ଆର୍ଥିକ କାରବାର ମୋତିଲାଲ ଭୋରାଙ୍କ ତତ୍ତ୍ୱାବଧାନରେ ହୋଇଥିଲା ବୋଲି ରାହୁଲ ଇଡି ଆଗରେ କହିଛନ୍ତି । ଏନେଇ ମୋତିଲାଲ ଭୋରାଙ୍କୁ ରାହୁଲ ଦାୟୀ କରିଛନ୍ତି ଯାହାଙ୍କର ମୃତ୍ୟୁ ହୋଇସାରିଛି ।
ରାହୁଲଙ୍କ ଏ ବୟାନକୁ ଖଣ୍ଡନ କରିଛନ୍ତି ମୋତିଲାଲ ଭୋରାଙ୍କ ପୁଅ । ଦାବିକୁ ଭିତ୍ତିହୀନ କହିଛନ୍ତି ମୋତିଲାଲଙ୍କ ପୁଅ ତଥା କଂଗ୍ରେସ ବିଧାୟକ ଅରୁଣ ଭୋରା । ରାହୁଲ ଗାନ୍ଧୀ କେବେ ତାଙ୍କ ବାପାଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଲଗାଇ ପାରିବେ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ଅରୁଣ ଭୋରା ।
ପ୍ରକାଶ ଥାଉ କି, ନ୍ୟାସନାଲ ହେରାଲ୍ଡର ଡିଲ୍ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ଏହି ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଥିଲା । ସୋମବାର ଠାରୁ ବୁଧବାର ମଧ୍ୟରେ ଇଡି ପ୍ରାୟ ୩୦ ଘଣ୍ଟା କାଳ ରାହୁଲଙ୍କୁ ଜେରା କରି ସାରିଛି । ତାଙ୍କୁ ପୁଣି ଆସନ୍ତା 20 ତାରିଖରେ ହାଜର ହେବାକୁ ନୋଟିସ କରାଯାଇଛି । ସୋନିଆ ଅସୁସ୍ଥ ଥିବାରୁ ସେ ସମୟ ମାଗିଛନ୍ତି । ତାଙ୍କୁ ଆସନ୍ତା 23 ତାରିଖରେ ହାଜର ହେବାକୁ ନୋଟିସ ହୋଇଛି ।