ଡେରାଡୁନ: ମହଙ୍ଗା ପଡିଲା ପାଶବିକତା । ଦୁଷ୍କର୍ମ ଉଦ୍ୟମ ବେଳେ ଘର ମାଲିକର ନାକକୁ ଦାନ୍ତରେ କାମୁଡି ଛିଣ୍ଡାଇଲେ ମହିଳା । ଉତ୍ତରାଖଣ୍ଡ ରୁଦ୍ରପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଘର ମାଲିକ ପେଶାରେ ଜଣେ ଶିକ୍ଷକ । ସେ ତାଙ୍କ ଘରେ ଭଡାରେ ରହୁଥିବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳା ନିଜକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ନାକକୁ ଛିଣ୍ଡାଇ ଦେଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଘର ମାଲିକକୁ ଗିରଫ କରିଛି ।
ସୂଚନା ମୁତାବକ, ପୀଡିତା ମହିଳା ଜଣେ ଯବାନଙ୍କ ପତ୍ନୀ । ତାଙ୍କର ସ୍ବାମୀ ଗଦରପୁରରେ ସେନାରେ ମୁତୟନ ଅଛନ୍ତି । ଅଭିଯୋଗ ଅନୁଯାୟୀ, ଦୁଇ ମାସ ହେଲା ଯବାନ ଜଣକ ନିଜ ପତ୍ନୀଙ୍କ ସହ ସମ୍ପୃକ୍ତ ଶିକ୍ଷକଙ୍କ ଘରେ ଭଡାରେ ରହୁଥିଲେ । ଗତ ୧୫ ତାରିଖ ଦିନ ଘର ମାଲିକର ପରିବାର ଲୋକେ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଘର ମାଲିକ ଘରେ ଏକୁଟିଆ ଥିଲେ । ଯବାନ ନିଜ ଡ୍ୟୁଟିକୁ ଯିବା ପରେ ଏହାର ସୁଯୋଗ ନେଇ ସେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ।
ଏହାମଧ୍ୟ ପଢନ୍ତୁ: ମାଆ ଗାଳି ଦେବାରୁ ଗୁଳି କରି ହତ୍ୟା କଲା ପୁଅ
ଯବାନଙ୍କ ପତ୍ନୀ ଛାତ ଉପରେ ନିଜ ସମ୍ପର୍କୀୟଙ୍କ ସହ ଫୋନରେ କଥା ହେଉଥିବା ବେଳେ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ ପାଇଁ ଚେଷ୍ଟା କରିଥିଲା । ସେ ମହିଳାଙ୍କୁ ଜୋର ଜବରଦସ୍ତ ରୁମ୍କୁ ଟାଣି ନେଇଥିଲା । ଏହି ସମୟରେ ଭିଡିଓ କଲରେ ଥିବା ମହିଳାଙ୍କ ଆତ୍ମୀୟ ତାଙ୍କର ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ସ୍ବାମୀଙ୍କ ଖବର ଦେଇଥିଲେ । ଖବର ପାଇ ଯବାନ ଘରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିନେଇଥିଲେ । ଏହାପୂର୍ବରୁ ମହିଳା ଅଭିଯୁକ୍ତ ଘର ମାଲିକର ନାକ କାମୁଡି ଛାଣ୍ଡାଇ ଦେଇଥିଲେ । ଏନେଇ ଯବାନ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।