ପାଟନା: ଅଧିକ ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ଆରଜେଡି ମୁଖ୍ୟ ନେତା ଲାଲୁ ପ୍ରସାଦ ଯାଦବ । ତେବେ ତାଙ୍କ ପାସପୋର୍ଟ ଜବତ ହୋଇଥିବାରୁ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାରେ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେଣୁ ସେ ପାସପୋର୍ଟ ରିଲିଜ କରିବା ପାଇଁ ସିବିଆଇ କୋର୍ଟରେ ଆବେଦନ ମଧ୍ୟ କରିଥିବା ସୂଚନା ମିଳିଛି (Lalu Yadav approaches court for releasing passport )। ଚାରା ଘୋଟାଲାରେ ଗିରଫ ହୋଇ ଜେଲ ଯାଇଥିବା ଲାଲୁଙ୍କ ପାସପୋର୍ଟ ଜବତ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।
ଲାଲୁ ବର୍ତ୍ତମାନ ଅସୁସ୍ଥ ରହିଛିନ୍ତି । କିଛି ଦିନପୂର୍ବରୁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ମଧ୍ୟ ହୋଇଥିଲେ । ତେବେ ସେ ଅଧିକ ଚିକିତ୍ସା ପାଇଁ ସେ ସିଙ୍ଗାପୁର ଯିବାକୁ ଚାହୁଁଛନ୍ତି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଡିସେମ୍ବର 24 ରେ ସେ ସିଙ୍ଗାପୁରରେ ଡାକ୍ତରୀ ଚିକିତ୍ସା ପାଇଁ ଆପଏଣ୍ଟମେଣ୍ଟ ମଧ୍ୟ ନେଇ ସାରିଛନ୍ତି । ହେଲେ ତାଙ୍କ ନାମରେ ଜାରି ରହିଥିବା ମାମଲା କାରଣରୁ ତାଙ୍କ ପାସପୋର୍ଟ ବର୍ତ୍ତମାନ ଜବତ ହୋଇ ସିବିଆଇ ହେପାଜତରେ ରହିଛି । ତେଣୁ ସେ ପାସପୋର୍ଟ ଫେରସ୍ତ ପାଇବା ପରେ ହିଁ ସିଙ୍ଗାପୁର ଗସ୍ତ କରିପାରିବେ ।
ବହୁଚର୍ଚ୍ଚିତ ଚାରା ଘୋଟାଲାରେ ଗିରଫ ହୋଇ ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ତାଙ୍କ ଗିରଫଦାରୀ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତାଙ୍କ ପାସପୋର୍ଟ ଜବତ କରିଥିଲା । ଯାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଲାଲୁଙ୍କୁ ହସ୍ତାନ୍ତର କରାଯାଇନାହିଁ । ଏପରି ସ୍ଥଳେ ସେ ସିବିଆଇ ସ୍ବତନ୍ତ୍ର କୋର୍ଟରେ ତାଙ୍କ ପାସପୋର୍ଟ ରିଲିଜ କରିବା ପାଇଁ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଲାଲୁଙ୍କ ଅପିଲକୁ କୋର୍ଟ ଗ୍ରହଣ କରିଛି ଓ ଏହାର ଆଗାମି ଶୁଶାଣି ଚଳିତ ମାସ 16 ତାରିଖକୁ ସ୍ଥିର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ