ଭୋପାଳ: ଜଣେ ବ୍ୟକ୍ତିଙ୍କ ଦେହରେ କେଶ ଉଠିବା ଏକ ସାଧାରଣ କଥା । କିନ୍ତୁ ଅସାଧାରଣ ଭାବରେ କେଶ ଉଠୁଥିଲେ ନିହାତି ଭାବରେ ସମ୍ପୃକ୍ତ ବ୍ୟକ୍ତି 'ୱେୟରୱଲ୍ଫ୍ ସିଣ୍ଡ୍ରୋମ'(Werewolf Syndrome)ର ଶିକାର ହୋଇ ପାରନ୍ତି । ଏଭଳି ଏକ ବିରଳ ରୋଗର ଶିକାର ହୋଇଛନ୍ତି ମଧ୍ୟ ପ୍ରଦେଶ ରତଲାମ ଜିଲ୍ଲାର ୧୭ ବର୍ଷୀୟ କିଶୋର ଲଳିତ ପଟିଦାର । ଲଳିତଙ୍କ ସାରା ଦେହରେ କେଶ ଉଠିଥିବା ଦେଖିବାକୁ ମିଳିଛି । ସ୍କୁଲ୍ରେ ମଧ୍ୟ ତାଙ୍କ ସହ ମିଶିବାକୁ ତାଙ୍କ ବନ୍ଧୁମାନେ ଭୟ କରୁଛନ୍ତି ।
ଲଳିତଙ୍କ ମୁହଁଠାରୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ଅସ୍ବାଭାବିକ ଭାବରେ କେଶ ଉଠିଛି । ଏପରିକି ପାପୁଲି ଓ ତଳିପାଦରେ ମଧ୍ୟ କେଶ ଉଠିଛି । ପିଲାଟି ଦିନରୁ ଲଳିତଙ୍କ ଦେହରେ କେଶ ଉଠିବା ଆରମ୍ଭ ହୋଇଥିଲା । ଏହାପରେ ପିଲାଠାରୁ ବଡ଼ ଯାଏଁ ତାଙ୍କ ମଜାକ ଉଡ଼ାଇବାରେ ଲାଗିଥିଲେ । ଖାଲି ସେତିକି ନୁହେଁ କିଛି ଭୟରେ ତାଙ୍କ ଉପରକୁ ପଥମ ମଧ୍ୟ ମାଡ଼ କରିଥିଲେ । ତାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ନିକଟରେ ଏକ ଜଣାଶୁଣା ଅନ୍ତର୍ଜାତୀୟ ଖବରକାଗଜକୁ ନିଜର ଅନୁଭୁତି କହିବା ପରେ ଏବେ ପୁଣିରେ ସେ ଚର୍ଚ୍ଚାକୁ ଆସିଛନ୍ତି ।
'ୱେୟରୱଲ୍ଫ୍ ସିଣ୍ଡ୍ରୋମ' ନାମକ ବିରଳ ରୋଗର ଶିକାର ହୋଇଛନ୍ତି ଲଳିତ ପଟିଦାର । ତାଙ୍କ ବାପା ମାଆ କୁହନ୍ତି ସେ ଜନ୍ମ ହେବାବେଳେ ତାଙ୍କ ଶରୀର ବଡ଼ କେଶ ରହିଥିଲା । ଫଳରେ ଡାକ୍ତରଙ୍କୁ ତାଙ୍କ ଦେହର କେଶ କାଟିବାକୁ ପଡ଼ିଥିଲା । ବୟସ ବଢ଼ିବା ସହ ଶରୀରରେ କେଶ ଉଠିବା ଯୋଗୁଁ ସେ ବିକୃତ ଦେଖା ଯିବାକୁ ଲାଗିଲେ । କେବେ ମାଙ୍କଡ଼ ତ କେବେ ଭାଲୁ ନାମରେ ତାଙ୍କୁ ତାଙ୍କ ସହପାଠୀ ଚିଢ଼ାଇବାରେ ଲାଗିଲେ । ଏହା ସତ୍ତ୍ବେ ସେ ହାର ମାନି ନାହାନ୍ତି । ସମସ୍ତ ଝଡ଼ଝଞ୍ଜା ସତ୍ତ୍ବେ ସେ ସଂଘର୍ଶ କରି ନିଜ ପାଠପଢ଼ା ଜାରି ରଖିଛନ୍ତି । ଆଗକୁ ସେ ଟପ୍ ୟୁଟ୍ୟୁବର ସହ ବଡ଼ ଅଫିସର୍ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ସେପଟେ ଡାକ୍ତର କହିଛନ୍ତି ଲଳିତ ଯେଉଁ ରୋଗରେ ପୀଡ଼ିତ ହୋଇଛନ୍ତି ତାହା ବିଶ୍ବର କେବଳ ୫୦ ଜଣ ଲୋକ ଦେହରେ ଦେଖାଯାଏ । ପୂର୍ବରୁ ଲଳିତଙ୍କ ପରିବାରରେ ଏଭଳି ରୋଗରେ କେହି ପୀଡ଼ିତ ନଥିଲେ । ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ଲଳିତ ମଧ୍ୟ ତାଙ୍କ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରନ୍ତି ।