ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲରେ ଗିରଫ ଫିଲ୍ମି ନିର୍ମାତା ରାଜ କୁନ୍ଦ୍ରାଙ୍କୁ ୨୩ ତାରିଖ ଯାଏଁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଗିରଫ ପରେ କୋର୍ଟରେ କୁନ୍ଦ୍ରାଙ୍କୁ ହାଜର କରିଥିଲା ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ । ଏହା ପରେ ଧିରେ ଧିରେ ଖୋଲିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କର ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ।
ବିଳାସପୂର୍ଣ୍ଣ ବଙ୍ଗଳାରେ ପର୍ଣ୍ଣ ସୁଟିଂ...ଆପ୍ରୁ ଟଙ୍କା ରୋଜଗାର...କିଛି ଏମିତି ଢଙ୍ଗରେ ବ୍ୟାପିଛି କୁନ୍ଦ୍ରାଙ୍କ କେଳେଙ୍କାରୀ ଜାଲ । ଗିରଫ ପରେ କୁନ୍ଦ୍ରାଙ୍କ ରାଜ ଖୋଲିଛି ମୁମ୍ବାଇ ପୋଲିସ ।
ବିବାଦ ସହିତ ରହିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦାଙ୍କ ପୁରୁଣା ସମ୍ପର୍କ । ଆଇପିଏଲ ମ୍ୟାଚ୍ ଫିକ୍ସଙ୍ଗରୁ ନେଇ ଅଣ୍ଡରୱାର୍ଲଡ ଲିଙ୍କ୍ ସହ ଅନେକ ବିବାଦରେ ସାମ୍ନାକୁ ଆସିସାରିଛି ରାଜଙ୍କ ନାଁ । ଆଉ ଏବେ ରାଜଙ୍କ ଗିରଫ ପରେ ଖୋଲିଛି ପର୍ଣ୍ଣୋଗ୍ରାଫି ମାମଲାର କଳା ଫର୍ଦ୍ଦ ।
ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ରାଜ କୁନ୍ଦ୍ରାଙ୍କ ଗିରଫଦାରୀକୁ ନେଇ କରିଛନ୍ତି ଅନେକ ଖୁଲାସା । ଫେବୃଆରୀ ୨୦୨୧ରେ ମାଲୱଣୀ ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରେଜିଷ୍ଟର କରିଥିଲା ଏକ ମାମଲା । ତଦନ୍ତ ସମୟରେ ଅନେକ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କୁ କାମ ଦେବା ନାଁରେ ବୋଲ୍ଡ ସିନ୍ କରିବାକୁ କହୁଥିଲେ ଏଥିରେ ଜଡିତ ବ୍ରୋକର । ପରେ ଏହା ସେମି ନ୍ୟୁଡ୍ ଆଡକୁ ବଢିଚାଲିଲା । ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି ମୁମ୍ବାଇ ପୋଲିସ ।
ମୁ୍ମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ପର୍ଣ୍ଣୋଗ୍ରାଫିର ଏହି ମାମଲାରେ ଗ୍ୟାଙ୍ଗର ଛାନଭିନ କରୁଥିବା ସମୟରେ ସାମ୍ନାକୁ ଆସିଥିଲା ରାଜ କୁନ୍ଦ୍ରାଙ୍କ ନାଁ । ଯାହାକୁ ନେଇ ୪ ଫେବୃଆରୀ ୨୦୨୧ରେ ମୁମ୍ବାଇର ମାଲୱାନୀ ଥାନାର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ବିରୋଧରେ କେସ ନମ୍ବର ୧୦୩/୨୦୨୧ରେ ମାମଲା ଦାଏର କରିଥିଲା । ରାଜଙ୍କ ବିରୋଧରେ ଲାଗିଥିଲା ଆଇପିସି ଧାରା ୨୯୨, ୨୯୩, ୪୨୦, ୩୪ ଦଫା । ଆଉ ଏହାସହିତ ଆଇଟି ଆକ୍ଟ ଆଧାରରେ ୬୭, ୬୭ଏ ଓ ଅନ୍ୟ ଧାରା ମଧ୍ୟ ଏଫଆଇଆରରେ ଲଗାଯାଇଥିଲା ।
ମାମଲା ଦାଏର ପରେ ରାଜଙ୍କ ବିରୋଧରେ ଠୋସ ପ୍ରମାଣ ସନ୍ଧାନରେ ଥିଲା ମୁମ୍ବାଇ ପୋଲିସ । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ସୁଟ୍ କରି କିଛି ଆପ ଜରିଆରେ ଏହାକୁ ପ୍ରସାରିତ କରିବା ଓ ସେୟାର କରିବା ଅଭିଯୋଗ ରହିଥିଲା । ଛାନଭିନରେ ମୁ୍ମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ପ୍ରମାଣ ଯାହା ରାଜଙ୍କ ଆଡକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହି କାରଣରୁ ସୋମବାର ରାତିରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।
ମଲାଡ ପଶ୍ଚିମରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ଅଶ୍ଳୀଳ ଫିଲ୍ମ ସୁଟିଂ ନେଇ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚକୁ ମିଳିଥିଲା ଗୁପ୍ତ ସୂଚନା । ଆଉ ଏହି ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ସେହି ବଙ୍ଗଳାରେ କରିଥିଲା ଚଢାଉ । ପଚରାଉଚରା ପରେ ଗିରଫ ଅଭିଯୁକ୍ତମାନେ ଭିଡିଓ ସୁଟିଂରୁ ନେଇ ଏହାକୁ ଆପରେ ପ୍ରସାରଣ ଯାଏଁ ସମସ୍ତ କଳାକାରନାମାର ଖୁଲାସା କରିଥିଲେ । ଆଉ ଏହି ଖୁଲାସାରୁ ରାଜଙ୍କ ନାଁ ସାମ୍ନାକୁ ଆସିଥିଲା ।
ପର୍ଣ୍ଣ ସୁଟିଂ ମାମଲାରେ ୟୁକେ କନେକ୍ସନ ମଧ୍ୟ ସାମ୍ନାକୁ ଆସିଛି । ରାଜକୁନ୍ଦ୍ରାଙ୍କ ସାଙ୍ଗରେ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ରାକେଟରେ ସାମିଲ ରହିଛି ୟୁକେ ସ୍ଥିତ ପ୍ରଡକ୍ସନ । ଯାହାର କାରବାର କୋଟିକୋଟି ଟଙ୍କା ଥିବା କୁହାଯାଉଛି ।
ପର୍ଣ୍ଣୋଗ୍ରାଫି ମାମଲାରେ ଯାଞ୍ଚ ସମୟରେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ ଦେଶରେ ଅଲଗା ଅଲଗା ଏଡଜେଣ୍ଟ ଜରିଆରେ ପର୍ଣ୍ଣୋଗ୍ରାଫି ଓ ପର୍ଣ୍ଣୋଗ୍ରାଫି ବିଜନେସର ଫଣ୍ଡିଂ କରାଯାଉଥିଲା । ଆଡଭାନ୍ସ ପେମେଣ୍ଟ ମିଳିବା ପରେ ସୁଟିଂ ହେଉଥିଲା ଅଶ୍ଳୀଳ ଫିଲ୍ମ । ଏଭଳି କଣ୍ଟେଣ୍ଟରୁ ପ୍ରଡକ୍ସନ ହାଉସ ପଠାଯାଉଥିଲା ଆଉ ଏହା ପରେ ଖାତାକୁ ଟ୍ରାନ୍ସଫର ହେଉଥିଲା କୋଟିକୋଟି ଟଙ୍କା ।
ସେପଟେ ରାଜଙ୍କ ଗିରଫଦାରୀ ପରେ ଭାଇରାଲ ହେଉଛି ତାଙ୍କର ୯ ବର୍ଷ ତଳର ପୁରୁଣା ଟ୍ବିଟ । ପର୍ଣ୍ଣୋଗ୍ରାଫି ବା ଅଶ୍ଳୀଳ ଫିଲ୍ମ ତିଆରି କରିବା ମାମଲାରେ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହି ଟ୍ବିଟ ଭାଇରାଲ ହେବାରେ ଲାଗିଛି । ସେ ଏହି ଟ୍ବିଟରେ ପର୍ଣ୍ଣୋଗ୍ରାଫି ଓ ଅର୍ଥ ପାଇଁ ଶାରୀରିକ ସମ୍ପର୍କ ରଖୁଥିବା ସମ୍ବନ୍ଧରେ ଲେଖିଥିଲେ ।
ଟ୍ବିଟକୁ ୨୦୧୨ ମସିହା ୨୯ ତାରିଖରେ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ପର୍ଣ୍ଣୋଗ୍ରାଫି ଓ ଅର୍ଥ ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ତୁଳନା କରିଥିଲେ । କ୍ୟାମେରା ସମ୍ମୁଖରେ ସମ୍ବେଦନଶୀଳ ବିଷୟରେ ଅଭିନୟ କରୁଥିବା କଳାକାରକୁ ଅର୍ଥ ଦେବା ଆଇନଗତ ବୋଲି ସେ ପ୍ରଶ୍ନ କରିଥିଲେ । ଏହାପରେ ସେ ସମାନ ମସିହା ମେ ୩ ତାରିଖରେ ମଧ୍ୟ ଆଉ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ରାଜନେତାମାନେ ମଧ୍ୟ ପର୍ଣ୍ଣ ବା ଅଶ୍ଳୀଳ ଫିଲ୍ମ ଦେଖନ୍ତି ବୋଲି ସେ କହିଥିଲେ ।
ଏହି ଟ୍ବିଟକୁ ଟ୍ବିଟର ୟୁଜର୍ସମାନେ ବିପୁଳ ଭାବରେ ସେୟାର କରିଥିଲେ । ସେପଟେ ସେ ଏଭଳି ସମ୍ବେଦନଶୀଳ ଫିଲ୍ମକୁ ତିଆରି କରିବା ପରେ ବିଭିନ୍ନ ଆପ୍ଲିକେସନରେ ସେୟାର କରୁଥିଲେ । ଏହି ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅନେକ ପ୍ରମାଣ ରହିଛି ବୋଲି ମୁମ୍ବାଇ ପୋଲିସ କମିଶନର କହିଛନ୍ତି ।