ହାଇଦ୍ରାବାଦ: ବାସ୍ ଆଉ କିଛି ମୂହୁର୍ତ୍ତର ଅପେକ୍ଷା । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି । ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ତାଙ୍କ ବିଷୟରେ ଜାଣନ୍ତୁ ସଂକ୍ଷେପରେ...
କିଏ ଦ୍ରୌପଦୀ ମୁର୍ମୁ...
୨୦ ଜୁନ ୧୯୫୮ରେ ମୟୂରଭଞ୍ଜ ଜିଲ୍ଲା ବାଇଦପୋଶୀ ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଜ୍ୟର ପ୍ରଥମ କୌଣସି ନାଗରିକ ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ସାନ୍ତାଳୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଦ୍ରୌପଦ୍ରୀଙ୍କ ପିତା ଥିଲେ ବିରଞ୍ଚି ନାରାୟଣ ଟୁଡୁ । ମୟୂରଭଞ୍ଜରେ ପ୍ରାଥମିକ ଶିକ୍ଷା ଶେଷ ପରେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ ପରେ ଶିକ୍ଷୟିତ୍ରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ ।
ରାଜନୈତିକ ଜୀବନ...
ଦ୍ରୌପଦୀ ବର୍ଷ ୧୯୯୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ବିଜେପିର ଜଣେ ସାଧାରଣ କର୍ମୀ ଭାବେ ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇ କାମ କରିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । ପ୍ରଥମଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଦଳ ଆଦିବାସୀ ମୋର୍ଚ୍ଚାର ଉପସଭାପତି ଦାୟିତ୍ବ ଦେଇଥିଲା ।
ପ୍ରଥମ ଥର ବିଧାୟକ
ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ରାଇରଙ୍ଗପୁରରୁ ପ୍ରଥମେ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ୨୦୦୪ ମସିହାରେ ବିଜୟୀ ହୋଇ 2009 ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଭାବେ କାମ କରିଥିଲେ । ବର୍ଷ 2007 ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ଦ୍ରୌପଦୀ ମୁର୍ମୁ ୬ ମାର୍ଚ୍ଚ ୨୦୦୦ ରୁ ୨୦୦୨ ଅଗଷ୍ଟ ଯାଏଁ ନବୀନ ପଟ୍ଟନାୟକ(Naveen Patnaik) ଙ୍କ ନେତୃତ୍ବାଧୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ। ପରେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ରୁ ମେ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ ।
ରାଜ୍ୟପାଳ..
ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ମେ’ 2015 ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇ ସଫଳତାର ସହ ନିଜ କାର୍ଯ୍ୟକାଳ ଶେଷ କରିଥିଲେ । ଏହାସହ ସେ ଝାଡଖଣ୍ଡର ପ୍ରଥମ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ । 2021 ଠାରୁ ଦ୍ରୌପଦୀ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ।
ଶାକାହାରୀ ଖାଦ୍ୟ ପ୍ରିୟ:
ଆମିଷ ନୁହେଁ ନିରାମିଷ ଖାଦ୍ୟ ଖାଆନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 2006 ମସିହା ପରଠୁ ସେ କେବଳ ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି । ନିଜ ସଂସ୍କୃତି ପରମ୍ପରାକୁ ବହୁତ ଭଲ ପାଆନ୍ତି ଦ୍ରୌପଦୀ । ପୋଷାକ କଥା ଯଦି କହିବା ସାନ୍ତାଳୀ ଶାଢୀ ପିନ୍ଧିବା ତାଙ୍କୁ ବହୁତ ପସନ୍ଦ ।