ହାଇଦ୍ରାବାଦ: ଭାରତରେ ମୋଷ୍ଟଓ୍ବାଣ୍ଟେଡ ଥିବା ଖଲିସ୍ତାନୀ ଆତଙ୍କବାଦୀକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଆଜି (ଶନିବାର) ସକାଳେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନେତା ପରମଜିତ ସିଂ ପଞ୍ଜୱାରକୁ ପାକିସ୍ତାନର ଲାହୋରରେ ସନଫ୍ଲାଓ୍ବାର ସୋସାଇଟି ଜୋହର ଟାଉନରେ ଗୁଳି କରି ହତ୍ୟା କରିଛନ୍ତି ଏକାଧିକ ଦୁର୍ବୃତ୍ତ । ଏଥିରେ ପରମଜିତ ଓ ତାର ଦୁଇ ଅଙ୍ଗରକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ କେଉଁ କାରଣରୁ ତାକୁ ହତ୍ୟା କରାଯାଇଛି ସେ ସମ୍ପର୍କରେ କିଛି ସୂଚନା ସାମ୍ନାକୁ ଆସିନି । ଗୁଳିକାଣ୍ଡର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି । ପାକିସ୍ତାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭାରତରେ ଶିଖ୍ ବିଦ୍ରୋହ, ଦଙ୍ଗା ଷଡଯନ୍ତ୍ର, ହତ୍ୟା ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଆଦି ସଙ୍ଗୀନ ମାମଲାରେ ଓ୍ବାଣ୍ଟେଡ ଥିଲା ପରମଜିତ୍ । ସେ ପୂର୍ବତନ ସ୍ଥଳ ସେନାମୁଖ୍ୟ ଏ.ଏସ ବୈଦଙ୍କ ହତ୍ୟାକାଣ୍ଡରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଥିଲା । କେବଳ ଏତିକି ନୁହେଁ ବରଂ ପଞ୍ଜାବ ଲୁଧିଆନାରେ ଦେଶର ସବୁଠୁ ବଡ ବ୍ୟାଙ୍କ ଡକାୟତି ମାମଲାରେ ମଧ୍ୟ ସେ ମୁଖ୍ୟ ଅଭିଯୁକ୍ତ ଭାବେ ଓ୍ବାଣ୍ଟେଡ ଲିଷ୍ଟରେ ଥିଲା । ଭାରତରେ ମୋଷ୍ଟ ଓ୍ବାଣ୍ଚେଡ ଥିବା ଏହି କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପାକିସ୍ତାନ ପଳାୟନ କରି ସେଠାରେ ରହୁଥିଲା ।
ପରମଜିତ ସିଂ ପଞ୍ଜାବର ତାରନ ତରାନ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲା । 1986 ରେ ସେ ସ୍ବତନ୍ତ୍ର ଖିଲିସ୍ତାନ ଦାବି କରୁଥିବା ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା । ସେ ଖାଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ) ରେ ଯୋଗ ଦେବା ସହ ଏକାଧିକ ହିଂସା ଓ ଅପରାଧରେ ସାମିଲ ହୋଇଥିଲା । ପରେ ସେ ଏହି ଆର୍ମ୍ଡ ଫୋର୍ସର ନେତୃତ୍ବ ମଧ୍ୟ ନେଇଥିଲା । ଖଲିସ୍ତାନୀ ଗୋଷ୍ଠୀରେ ସାମିଲ ହେବା ପୂର୍ବରୁ ସେ ସୋହଲର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରେ କର୍ମଚାରୀ ଭାବରେ କାର୍ଯ୍ୟ କରିଥିଲା । ଅନ୍ୟତମ ଖଲିସ୍ତାନୀ ଆତଙ୍କବାଦୀ ତଥା କେସିଏଫ୍ ର ତତ୍କାଳୀନ କମାଣ୍ଡର ଲବ ସିଂ ଦ୍ବାରା ସେ ଅନୁପ୍ରାଣିତ ହୋଇ ଖଲିସ୍ତାନୀ ଗୋଷ୍ଠୀରେ ସାମିଲ ହୋଇଥିଲା ପରମଜିତ ।
ଲବ ସିଂଙ୍କ ମୃତ୍ୟୁ ପରେ ପରମଜିତ୍ 1990 ରେ କେସିଏଫ୍ ନେତୃତ୍ବ ଗ୍ରହଣ କରିବା ସହ ପାକିସ୍ତାନ ପଳାୟନ କରିଥିଲା । ସେଠାରେ ସେ ନିଶା ଓ ମାରଣାସ୍ତ୍ର କାରବାର କରି କମାଣ୍ଡୋ ଫୋର୍ସ ପାଇଁ ପାଣ୍ଠି ଯୋଗାଡ ଜାରି ରଖିଥିଲା । ଆଜି ତାକୁ ଗୁଳି କରି ହତ୍ୟା କରିଛନ୍ତି ଏକାଧିକ ଦୁର୍ବୃତ୍ତ । କାରଣ ଅସ୍ପଷ୍ଟ ରହିଥିବା ବେଳେ ପାକିସ୍ତାନ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ