ଥିରୁଅନନ୍ତପୁରମ: କେରଳରେ ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଦୁର୍ବୃତ୍ତ । ଗତକାଲି(ରବିବାର) ରାତି ପ୍ରାୟ ୯ଟା ୭ ମିନିଟ୍ ସମୟରେ ଆଲପୁଝା-କନ୍ନୁ ଏକ୍ସପ୍ରେସ ଟ୍ରେନରେ ଏଭଳି କାଣ୍ଡ ଘଟାଇଥିଲା ଦୁର୍ବୃତ୍ତ । ତେବେ ଏହି ଘଟଣା ପରେ ରେଲଓ୍ବେ ଟ୍ରାକରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ୩ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକ ହେଲା ମାତାନୁର ପାଲଟ ପଲ୍ଲୀ ନିବାସୀ ରହମତ, ବୟସ ୪୩ ବର୍ଷ ଏବଂ ଭଉଣୀର ଦୁଇ ବର୍ଷୀୟ ଝିଅ ସାହାରା । ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଏକ ମୃତଦେହର ପରିଚୟ ମିଳିପାରି ନାହିଁ । ଏଲାଥୁର ଷ୍ଟେସନ ଏବଂ କୋରାପୁଝା ବ୍ରିଜ ମଝିରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
ତେବେ ୩ ଜଣଙ୍କ କିପରି ମୃତ୍ୟୁ ହେଲା ସେନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଟ୍ରେନରେ ନିଆଁ ଲାଗିଯିବା କାରଣରୁ ଜୀବନ ବଞ୍ଚାଇବା ପାଇଁ ଡେଇଁପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ କୋଝିକୋଡ ହସ୍ପିଟାଲକୁ ପଠାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି(ରବିବାର) ଆଲପୁଝା-କନ୍ନୁ ଏକ୍ସପ୍ରେସ ଟ୍ରେନଟି କନ୍ନୁର ଅଭିମୁଖେ ଯାତ୍ରା କରୁଥିଲା । ରାତି ପ୍ରାୟ ୯ଟା ୭ ମିନିଟ ସମୟରେ ଜଣେ ବୟସ୍କ ଲାଲ ରଙ୍ଗର ସାର୍ଟ ଏବଂ ଏକ ଟୋପି ପିନ୍ଧି ଡି ଓ୍ବାନରେ ବଗିକୁ ଆସିଥିଲେ । ତେବେ ହଠାତ ଦୁଇ ବୋତଲ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ପ୍ରଥମେ ନିଆଁ D1 ଏବଂ D2 ବଗିରେ ଲାଗିଥିଲା । ଯୁବକଙ୍କ ଏଭଳି ଅଦ୍ଭୁଦ କାଣ୍ଡ ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
ତେବେ କିଛି ଯାତ୍ରୀ ଟ୍ରେନର ଚେନ ଟାଣି କୋରାପୁଝା ବ୍ରିଜ ନିକଟରେ ଟ୍ରେନଟିକୁ ଅଟକାଇଥିଲେ । ଟ୍ରେନ ରହିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ବାହାରି ଯାଇଥିଲେ । ତେବେ ଟ୍ରାକରୁ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ରହିଛି । ୫ ଜଣଙ୍କୁ ମେଡିକାଲ କଲେଜ ହସ୍ପିଟାଲ, ୩ଜଣ ଶିଶୁଙ୍କୁ ମେମୋରିଆଲ ହସ୍ପିଟାଲ ଏବଂ ଜଣକୁ କୋଇଲାଣ୍ଡି ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଟ୍ରେନରେ ନିଆଁ ଲଗାଇଥିବା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ରେଲଓ୍ବେ ପୋଲିସ ଏବଂ କେରଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ସିସିଟିଭିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ