ବେଙ୍ଗାଲୁରୁ: ସୁନ୍ଦର ସବୁଜବନାନୀ ପାଇଁ ସୁପରିଚିତ କର୍ଣ୍ଣାଟକର ମଲେନାଡ଼ୁ। ଏହି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି କମ୍ପାଉଣ୍ଡ ୱାଲ ଛବି। ପୂର୍ବରୁ ଶିବମୋଗାର କମ୍ପାଉଣ୍ଡ ୱାଲ ସହରକୁ ସ୍ମାର୍ଟସିଟି ହେବା ବାଟରେ କଣ୍ଟା ସାଜିଥିଲା। କମ୍ପାଉଣ୍ଡ ୱାଲର ବିଭିନ୍ନ ସ୍ଥାନରେ ଅନାବନା ପୋଷ୍ଟର ଲାଗି ରହୁଥିଲା। ବର୍ତ୍ତମାନ ଶିବମୋଗା ପ୍ରଶାସନ ଏହି ସମସ୍ୟା ଉପରେ ଧ୍ୟାନ ଦେଇ କମ୍ପାଉଣ୍ଡ ୱାଲରେ ଚିତ୍ରିତ କରିଛନ୍ତି ସୁନ୍ଦର ସୁନ୍ଦର ଛବି। ଏହି ଛବି ବର୍ତ୍ତମାନ ଦେଖଣାହାରିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ସହରର ସୁନ୍ଦରତାକୁ ବଢ଼ାଇବାକୁ ପ୍ରଶାସନ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି। ଏହାସହ ଦେଶ ତଥା ରାଜ୍ୟର କଳା ଓ ସଂସ୍କୃତିକୁ ଲୋକଙ୍କ ଧ୍ୟାନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତା ସହିତ ଲୋକଙ୍କୁ ସରକାରୀ କାର୍ଯ୍ୟ ବିଷୟରେ ଅବଗତ କରାଇବା ମଧ୍ୟ ଆବଶ୍ୟକ। ଏଥିପାଇଁ ସ୍ମାର୍ଟ ସିଟି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 35 ଲକ୍ଷ ବ୍ୟୟ ଅଟକଳରେ କର୍ଣ୍ଣାଟକ ଚିତ୍ରକଳା ପରିଷଦକୁ ପେଣ୍ଟିଂ କାମ ଦିଆଯାଇଛି।
ସରକାରୀ କମ୍ପାଉଣ୍ଡ ୱାଲରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାକୁ ପ୍ରାୟ 52 ଲକ୍ଷ ଖର୍ଚ୍ଚ କରୁଛି ଶିବମୋଗା ନଗର ନିଗମ। ଏହି କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି କର୍ଣ୍ଣାଟକ ଚିତ୍ରକଳା ପରିଷଦ। ବର୍ତ୍ତମାନ ସରକାରୀ କମ୍ପାଉଣ୍ଡ ୱାଲକୁ ସୁନ୍ଦର ଚିତ୍ର ସହ ନୂଆ ରୂପ ମିଳିଛି। ଏହି ପେଣ୍ଟିଂ ଦ୍ବାରା ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ଧ୍ୟାନ ଆକର୍ଷଣ କରାଯାଉଛି।
ପୋଲିସ ଥାନା କାନ୍ଥରେ ହୋଇଥିବା ଚିତ୍ରରୁ ଜଣା ପଡ଼ିଯିବ ଯେ ସେମାନେର କିଭଳି କାମ କରୁଛନ୍ତି। କାନ୍ଥରେ ଡାକ ବିଭାଗର କାର୍ଯ୍ୟ ଉପରେ ବି ବାଖ୍ୟା କରାଯାଇଛି। କମ୍ପାଉଣ୍ଡ ୱାଲରେ ଅନ୍ୟ ସରକାରୀ ବିଭାଗର କାର୍ଯ୍ୟ ପନ୍ଥା ବିଷୟରେ ମଧ୍ୟ ବାଖ୍ୟା କରାଯାଇଛି। ପେଣ୍ଟିଂକୁ ଦେଖିଲେ ଆମକୁ ସୁନ୍ଦର ଓ ଖୁସି ଲାଗେ।
ସ୍ମାର୍ଟସିଟି ପ୍ରକଳ୍ପରେ ନଗର ନିଗମ ପକ୍ଷରୁ ପେଣ୍ଟିଂ କାର୍ଯ୍ୟ ଆରମ୍ଭ ହୋଇଛି। ପୋଲିସ ବିଭାଗ, ବନବିଭାଗ, ସ୍ବଚ୍ଛ ଭାରତ ସମ୍ବନ୍ଧିତ ଚିତ୍ରକଳା କାନ୍ଥରେ ଚିତ୍ରିତ କରାଯାଇଛି। ଖାଲି ସେତିକି ନୁହେଁ କର୍ଣ୍ଣାଟକର ସଂସ୍କୃତି ପରମ୍ପରା ଚିତ୍ର ମଧ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଶିବମୋଗା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଚିତ୍ର ସ୍ଥାନୀୟବାସିନ୍ଦାଙ୍କୁ ଦେଉଛି ଏକ ନୂଆ ଅନୁଭୁତି। ସ୍ଥାନୀୟ ବାସିନ୍ଦା ଶିବମୋଗା ନଗର ନିଗମର କାର୍ଯ୍ୟକୁ ଖୁବ ପସନ୍ଦ କରୁଛନ୍ତି। ଏହି ଚିତ୍ର ଲୋକଙ୍କୁ ସ୍ମାର୍ଟ ସିଟିର ଅନୁଭୂତି ଦେଉଛି।
ପୂର୍ବରୁ ପୋଷ୍ଟର ଲାଗିବା ଯୋଗୁଁ ଏହି ସବୁ କାନ୍ଥ ଅସୁନ୍ଦର ଦେଖା ଯାଉଥିଲା। ବର୍ତ୍ତମାନ ଏହା ସଫା ଓ ସୁନ୍ଦର ଦେଖାଯାଉଛି। ସରକାରୀ କାନ୍ଥରେ ହୋଇଥିବା ଚିତ୍ରକଳା ଶିବମୋଗାକୁ ଅଧିକ ସ୍ମାର୍ଟ ଭାବରେ ତିଆରି କରୁଛି। ଆଗାମୀ ଦିନରେ ବାକିଥିବା କାନ୍ଥରେ ଏଭଳି ଚିତ୍ରକଳା ପ୍ରଦର୍ଶନ କରିବାକୁ ଯୋଜନା ରହିଛି। ଏଭଳି ଚିତ୍ରକଳା ଦ୍ବାରା ଶିବମୋଗା ସୁନ୍ଦର ହେବା ସହ ଲୋକେ ସଚେତନ ହୋଇ ପାରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ