ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଆସନ୍ତା ମେ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହାରି ଭିତରେ ଶିବମୋଗା ଜିଲ୍ଲା କଂଗ୍ରେସ ଶନିବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଜିଲ୍ଲାର ସୋଗନେ ଗାଁରେ ନବ ନିର୍ମିତ ପଦ୍ମଫୁଲ ଆକାରର ଏୟାରପୋର୍ଟ ଟର୍ମିନାଲକୁ ନିର୍ବାଚନ ପର୍ଯ୍ୟନ୍ତ ଘୋଡାଇ ଦେବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛି କଂଗ୍ରେସ ।
ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ହେବ ବୋଲି କଂଗ୍ରେସ ଦାବି କରିଛି । ଏହା ସହିତ ନିର୍ବାଚନ ଆୟୋଗ ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହି ଏୟାରପୋର୍ଟ ଟର୍ମିନାଲକୁ ଘୋଡ଼ାଇ ଦେବା ଦରକାର । ଏନେଇ କଂଗ୍ରେସ ନେତା କହିଛନ୍ତି, "ପଦ୍ମଫୁଲ ଆକୃତିରେ ବନାଯାଇଥିବା ଏହି ଏୟାରପୋର୍ଟ ଟର୍ମିନାଲର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପି ନେତା ମାନେ ପ୍ରଚାର କରୁଛନ୍ତି । ଏହା ବିଜେପି ସରକାରଙ୍କ ଉପଲବ୍ଧି ବୋଲି ସେମାନେ ଖୋଲାଖୋଲି ପ୍ରଚାର କରୁଛନ୍ତି । ତେଣୁ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି । ସେଥିପାଇଁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ଏୟାରପୋର୍ଟ ଟର୍ମିନାଲକୁ ସମ୍ପୂର୍ଣ୍ଣ ଭାବେ ଆବରଣ କରାଯାଉ ।"
ପ୍ରକାଶ ଥାଉକି, କର୍ଣ୍ଣାଟକର ଶିବମୋଗାର ଏହି ଏୟାରପୋର୍ଟ ଟର୍ମିନାଲର ସମ୍ମୁଖ ଭାଗକୁ ପଦ୍ମଫୁଲ ଆକୃତିରେ ବନା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଫେବୃଆରୀ ମାସ ୨୭ ତାରିଖରେ ଶିବମୋଗା ଜିଲ୍ଲାର ସୋଗନେ ଗାଁରେ ଏହି ଏୟାରପୋର୍ଟ ଟର୍ମିନାଲର ଉଦ୍ଘାଟନ କରିଥିଲେ । ଏହି ଟର୍ମିନାଲର ଉଦ୍ଘାଟନ ଉତ୍ସବ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ୮୦ ତମ ଜନ୍ମଦିନରେ ଆୟୋଜନ ହୋଇଥିଲା । ତେବେ ପଦ୍ମଫୁଲ ଆକୃତିର ଏହି ଟର୍ମିନାଲକୁ ପ୍ରାୟ ୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି ।
ତେବେ ଏହି ପଦ୍ମଫୁଲ ଆକୃତିର ଏୟାରପୋର୍ଟ ଟର୍ମିନାଲ ଉଦ୍ଘାଟନ ପୂର୍ବରୁ ମଧ୍ୟ ବିରୋଧି ଦଳର ନେତାମାନେ ଏହାକୁ ବିରୋଧ କରିବା ସହିତ ଏନେଇ ପ୍ରଶ୍ନ ଉଠାଇଥିଲେ । ସେହିଭଳି ସରକାରୀ ବସ ଗୁଡ଼ିକରୁ ମଧ୍ୟ ସରକାରୀ ବିଜ୍ଞାପନ ହଟାଇବା ପାଇଁ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି । ପ୍ରକାଶ ଥାଉକି, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୦ ତାରିଖରେ ଅନୁଷ୍ଠିତ ହେବ । ଏହାପରେ ମେ ୧୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ