ବେଙ୍ଗାଲୁରୁ: କର୍ଣ୍ଣାଟକ ଶାଖା ରାଜ୍ୟ ସଭାପତି ନଲୀନ କୁମାର କତୀଲଙ୍କୁ ପଦରୁ ହଟାଇବ ଭାରତୀୟ ଜନତା ପାର୍ଟି (ବିଜେପି) । ରାଜ୍ୟ ସଭାପତିଙ୍କୁ ପୁରା ଶକ୍ତି ଓ ସମର୍ଥନ ଯୋଗାଇଥିଲା କେନ୍ଦ୍ରୀୟ ବିଜେପି । ଏହାସତ୍ବେ ବିଜେପିର ଶୋଚନୀୟ ପରଜାୟ ପରେ ସଭାପତିଙ୍କ ପକ୍ଷଚ୍ଛେଦନ ପାଇଁ ବିଚାର କରୁଛି ବିଜେପି । ନଲୀନ ସଠିକ ଢଙ୍ଗରେ କାମ କରିବେ ବୋଲି କେନ୍ଦ୍ରୀୟ ବିଜେପି ଅଖଣ୍ଡ କ୍ଷମତା ଦେଇଥିଲା । ଏପରିକି ବିଏସ ୟେଦୁରପ୍ପା ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ତାଙ୍କ ଅଧିନରେ କାମ କରିବାକୁ । ଏହସତ୍ବେ ନଲୀନ ବିଫଳ ହୋଇଛନ୍ତି ।
ବିଧାନସଭା ନିର୍ବାଚନକୁ ନେଇ କେନ୍ଦ୍ରୀୟ ବିଜେପି ଏବେ ରାଜ୍ୟ ସଭାପତିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ କେଉଁଠି ରାଜ୍ୟ ଶାଖା ତ୍ରୁଟି କରିଛି ତାହାର ସମୀକ୍ଷା କରୁଛି । କେନ୍ଦ୍ରୀୟ ବିଜେପିର କହିବା କଥା ଲିଙ୍ଗାୟତ, ଓବିସି, ଦଳିତ ଭୋଟକୁ ନେଇ ରାଜ୍ୟ ଶାଖା ସଠିକ ଆକଳନ କରିପାରି ନାହିଁ । କଂଗ୍ରେସର ଆକ୍ରାମଣାତ୍ମକ ଭୂମିକାକୁ ମଧ୍ୟ ରାଜ୍ୟ ଶାଖା ସଠିକ ଭାବେ ପରିଚାଳନା କରିନାହିଁ । ଏହି ବୃହତ ବିଜୟ ପାଇ ଏବେ ରାଜ୍ୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପୁରା ଜୋଶରେ କାମ ଆରମ୍ଭ କରିଛି ।
ସମୀକ୍ଷାରୁ କେନ୍ଦ୍ରୀୟ ବିଜେପି ଅନୁଭବ କରୁଛି ରାଜ୍ୟର ଭୋକ୍କାଲିଗା ସମ୍ପ୍ରଦାୟ ଶିବ କୁମାରଙ୍କୁ, ଅଳ୍ପସଂଖ୍ୟକ ସମ୍ପ୍ରଦାୟ ସିଦ୍ଧରମୈୟାଙ୍କୁ ଭୋଟ ଦେଇଛନ୍ତି । ଲିଙ୍ଗାୟତ ସମ୍ପ୍ରଦାୟର ଭୋଟ ବିଭାଜନ ହୋଇଛି। ବିଜେପି ଏହି ଭୋଟ ବ୍ୟାଙ୍କକୁ ଏକତ୍ରିତ କରିବାକୁ ବିଫଳ ହୋଇଛି ।
ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ନିର୍ବାଚନରେ ବିଫଳତା ପାଇଁ ରାଜ୍ୟ ସଭାପତିଙ୍କୁ ହଟାଯାଉନାହିଁ । ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଲୋକସଭା ନିର୍ବାଚନ ପୂର୍ବରୁ ଦଳ ନୂଆ ଚେହେରା ସହ ନୂଆ ଶକ୍ତିର ସହ କାମ ଆରମ୍ଭ କରିବ । ତେଣୁ ରାଜ୍ୟ ସଭାପତି ପରିବର୍ତ୍ତନ ନିର୍ବାଚନ ସହ ସମ୍ପୃକ୍ତ ନୁହେଁ । ବିରୋଧୀ ଦଳ ନେତା କିଏ ହେବେ କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେବେ ବୋଲି ପ୍ରହଲ୍ଲାଦ ଯୋଶୀ କହିଛନ୍ତି ।
ସୂଚନାଯୋଗ୍ୟଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହୋଇଛି । ଦଳ କ୍ଷମତାଚ୍ୟୁତ ହେବା ସହ 12 ଜଣ ମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି । ବିଜେପିର କୌଣସି ରଣନୀତି କାମ ଦେଇନଥିବା ବେଳେ, ପୁରା କେନ୍ଦ୍ରୀୟ ବିଜେପିର ହାଇଟେକ ପ୍ରଚାର ବିଫଳ ହୋଇଛି । କଂଗ୍ରେସର ଜବରଦସ୍ତ ବିଜୟ ପାଇବା ସହ ସ୍ପଷ୍ଟ ବହୁମତ ପାଇଛି ।