ନୂଆଦିଲ୍ଲୀ: ‘‘1999 ମସିହାରେ ହୋଇଥିବା ବହୁଚର୍ଚ୍ଚିତ କାନ୍ଧାହାର ବିମାନ ଅପରହଣକୁ ରୋକାଯାଇ ପାରିଥାନ୍ତା । ଯଦି ବିମାନ ବନ୍ଦରରେ ବର୍ତ୍ତମାନ ପରି ସୁରକ୍ଷା ବ୍ୟବସ୍ଥା ବିକଶିତ ଥାଆନ୍ତା ।’’ ଏପରି କିଛି ମନ୍ତବ୍ୟ ସହ ସେଦିନର ଘଟଣାକୁ ମନେ ପକାଇଛନ୍ତି ଅପହରଣର ଶିକାର ହୋଇଥିବା ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC-814ର କ୍ୟାପଟେନ ଦେବୀ ଶରଣ । ଦେବୀ କହିଛନ୍ତି, ଏହି ଅପହରଣ ଘଟଣା ପରେ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଗତ 24 ବର୍ଷ ମଧ୍ୟରେ ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ପ୍ରଭାବୀ କରାଯାଇଛି । ବର୍ତ୍ତମାନ ପରି ସୁରକ୍ଷା ବ୍ୟବସ୍ଥା ଥିଲେ ଏପରି କାଣ୍ଡ ଘଟିନଥାନ୍ତା ।
ସେହି ଘଟଣାକୁ ମନେ ପକାଇ କ୍ୟାପଟେନ ଶରଣ କହିଛନ୍ତି, ସେତେବେଳେ ବିମାନ ବନ୍ଦରର ସୁରକ୍ଷା ସଧାରଣ ପୋଲିସ ବିଭାଗ ଉପରେ ନ୍ୟସ୍ତ ଥିଲା । ଘଟଣା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଗଠନ କରାଯାଇ ବିମାନ ବନ୍ଦରର ସାମଗ୍ରିକ ସୁରକ୍ଷା ବ୍ୟାପାର ନ୍ୟସ୍ତ କରାଗଲା । ଗତ 24 ବର୍ଷ ମଧ୍ୟରେ ଭାରତୀୟ ଉଡାଣ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ସୁବ୍ଯବସ୍ଥିତ ହୋଇଛି । ଯଦି ବର୍ତ୍ତମାନ ପରି ASF (ବିମାନ ବନ୍ଦର ସୁରକ୍ଷା ବଳ) କାର୍ଯ୍ୟରତ ଥାଆନ୍ତା, ତେବେ ସେହି ଘଟଣାକୁ ରୋକାଯାଇ ପାରିଥାନ୍ତା ।
ନୂଆଦିଲ୍ଲୀ ସ୍ଥିତ ବେସାମରିକ ଉଡାଣ ସୁରକ୍ଷା ବ୍ୟୁରୋ (BCAS) ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହି ପୂର୍ବତନ ପାଇଲଟ ଦେବୀ ଶରଣ କହିଛନ୍ତି, ବିମାନଟି କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିଲା । ଏହାକୁ ଅପହରଣ କରିବା ପରେ ପ୍ରଥମେ ଅମୃତସରରେ ଅବତରଣ କରାଯାଇଥିଲା । ଏହି ସମୟରେ ଅମୃତସର ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବ ପଞ୍ଜାବ ପୋଲିସ ଉପରେ ନ୍ୟସ୍ତ ଥିଲା । ଯଦି ସେତେବେଳେ ଅଧିକ ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବିମାନ ବନ୍ଦର ସୁରକ୍ଷା ବଳ (ASF) ଥାନ୍ତା ତେବେ ଏପରି ହୋଇନଥାନ୍ତା ।
1999 ମସିହା ଡିସେମ୍ବର 24 ତାରିଖରେ ନେପାଳ ରାଜଧାନୀ କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିବା ଇଣ୍ଡିଆନ ଏୟାରଲାଇନ୍ସର ବିମାନ IC-814କୁ ଭାରତୀୟ ଆକାଶ ସୀମାରୁ ଅପହରଣ କରିନେଇଥିଲେ ତାଲିବାନ ଆତଙ୍କବାଦୀ । ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଆତଙ୍କବାଦୀମାନେ ଯାତ୍ରୀ ଭାବେ ବିମାନରେ ବୋର୍ଡିଂ କରି ଯାତ୍ରା କରିବା ପରେ ବିମାନକୁ ଅପହରଣ କରିଥିଲେ । ଏହାକୁ ପ୍ରଥମେ ପଞ୍ଜାବର ଅମୃତସର ବିମାନ ବନ୍ଦରରେ ଲ୍ୟାଣ୍ଡ କରାଇଥିଲେ । ଏହାକୁ ପରେ ପାକିସ୍ତାନର ଲାହୋର, ଦୁବାଇ ବିମାନ ବନ୍ଦର ଓ ଶେଷରେ ଆଫଗାନିସ୍ତାନ କାନ୍ଧାହାରରେ ଲ୍ୟାଣ୍ଡ କରାଇଥିଲେ ଆତଙ୍କବାଦୀ ।
ଏହା ମଧ୍ୟ ପଢନ୍ତୁ:-ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ମେଲବର୍ଣ୍ଣରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ
ବିମାନରେ ଆତଙ୍କବାଦୀଙ୍କ ସମେତ ମୋଟ 176 ଯାତ୍ରୀ ଓ 15 ଜଣ କ୍ର୍ୟୁ ସଦସ୍ୟ ଥିଲେ । ବିମାନକୁ ମୁକ୍ତ କରିବା ପାଇଁ ଗିରଫ ହୋଇ ଭାରତୀୟ ଜେଲରେ ଥିବା କିଛି ହାର୍ଡକୋର ଆତଙ୍କୀଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା ଆତଙ୍କୀ ସଂଗଠନ । ପ୍ରାୟ 7 ଦିନ ଧରି ଆତଙ୍କବାଦୀ ଓ ସରକାର ମଧ୍ୟରେ ମୁକ୍ତି ପ୍ରକ୍ରିୟା ପାଇଁ କଥାବାର୍ତ୍ତା ଜାରି ରହିଥିଲା । କିଛି ଆତଙ୍କୀଙ୍କୁ ଭାରତ ସରକାର ମୁକ୍ତ କରିବା ପରେ ବିମାନକୁ ଅପହରଣର 7ଦିନ ପରେ ଅର୍ଥାତ ଡିସେମ୍ବର 29 ତାରିଖରେ ମୁକ୍ତ କରାଯାଇଥିଲା । ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ 17 ଜଣ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ