ମହୀଶୂର: ମାନବ ଜାତି ପାଇଁ କଳା ଅଧ୍ୟାୟ ସାଜିଛି ମାରାତ୍ମକ କୋରୋନା । ନିଦ ହଜେଇ ଦେଇଛି ନରହନ୍ତା ଭୂତାଣୁ । ଦିନକୁ ଦିନ ବଢିଚାଲିଥିବା ସଂକ୍ରମଣ ମାମଲା ଓ ମୃତ୍ୟୁ ସଂଖ୍ୟା କରିରଖିଛି ଭୟଭୀତ । ରିପୋର୍ଟ ପଜିଟିଭ ଆସିଲେ ମନ ଅସ୍ତବ୍ୟସ୍ତ ହୋଇପଡୁଛି । ଅନିଶ୍ଚିତ ହୋଇପଡୁଛି ନିଶ୍ବାସ ଓ ବିଶ୍ବାସର ଘଡି । ହେଲେ ଏଭଳି ସଙ୍କଟାପନ୍ନ ଅସ୍ଥିର ସମୟରେ କର୍ଣ୍ଣାଟକ ମହୀଶୂରର ଏକ ଯୌଥ ପରିବାର କୋରୋନା ଯୁଦ୍ଧରେ ହାସଲ କରିଛନ୍ତି ବିଜୟ । ଏଥିସହ ଅନେକ ରୋଗୀଙ୍କ ପାଇଁ ସାଜିଛନ୍ତି ଆଶାବାଡି ।
17 ସଦସ୍ୟ ବିଶିଷ୍ଠ ଏହି ଯୌଥ ପରିବାର ପଡିଯାଇଥିଲେ କୋରୋନା କବଳରେ । ହେଲେ ଲିଭିନଥିଲା ସେମାନଙ୍କ ଆତ୍ମବିଶ୍ବାସର ସଳିତା । ଦୃଢ ମନୋବଳ ସହ ସମସ୍ତେ ହରାଇଲେ ମହାମାରୀକୁ । ଆଉ ସେମାନଙ୍କ ସଫଳତା ଓ ବଞ୍ଚିବାର ଦୃଷ୍ଟିକୋଣ ଅନ୍ୟ କୋରୋନାକ୍ରାନ୍ତଙ୍କ ପାଇଁ ଆଦର୍ଶ ପାଲଟିଛି । ଯେବେ ଏହି ପରିବାରର ସମସ୍ତେ କୋରୋନାରେ ସଂକ୍ରମିତ ହେଲେ ସେତେବେଳେ ସବୁ ହୋଇପଡିଥିଲେ ଚିନ୍ତିତ । କିନ୍ତୁ ସେମାନଙ୍କ ସକରାତ୍ମକ ମନୋଭାବ କୋରୋନାକୁ କାବୁ କରିପାରିଛି ।
ବଡଗଲପୁର କିଶାନ ସଂଘର ସଭାପତି ନାଗେନ୍ଦ୍ରଙ୍କ ଭାଇ ଲିଙ୍ଗଗୋଡା ଓ ତାଙ୍କ ପରିବାର ଏପ୍ରିଲ 24 ରେ କୋଭିଡ ପଜିଟିଭି ହୋଇଥିଲେ । ପରେ ସମସ୍ତ ସଦସ୍ୟ ସଂକ୍ରମଣରୁ ସ୍ବାସ୍ଥ୍ୟ ହେଲେ । ସେମାନଙ୍କ ରିପୋର୍ଟ ଏବେ ନେଗେଟିଭ ରହିଛି ।
ଆମେ ସବୁ ସଂକ୍ରମଣରୁ ଠିକ ହୋଇଗଲୁଣି । କୋରୋନା ରିପୋର୍ଟ ନେଗେଟିଭ ଆସିଛି । ପରିବାରର ସମସ୍ତ ସଦସ୍ୟ 14 ଦିନର କ୍ବାରେଣ୍ଟାଇନ ଅବଧି ପୂରଣ କରିଛି । ମୁଁ ସମସ୍ତ କୋଭିଡ ରୋଗୀଙ୍କୁ ସନ୍ଦେଶ ଦେବି କି ଚିନ୍ତା ଆଦୌ କରନ୍ତୁ ନାହିଁ । ପ୍ରଥମେ ଆତ୍ମବିଶ୍ବାସ ଦୃଢ ରହିବା ଦରକାର ଓ ସକରାତ୍ମକ ରିପୋର୍ଟ ଆସିବା ପରେ ଶକ୍ତିଶାଳୀ ହେବା ଜରୁରୀ । ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ପରିବାରର ମୁଖିଆ ଲିଙ୍ଗରାଜୁ ଗୌଡା ।
କୋରୋନା ରିପୋର୍ଟ ପଜିଟିଭ ଆସିବା ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ବଡଗଲପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଲୀମ ପାଶାଙ୍କୁ ସୂଚନା ଦେଇଥିଲେ । ସେ ସମସ୍ତଙ୍କୁ ଅଲଗା ଅଲଗା ସ୍ବତନ୍ତ୍ର ରୁମରେ ରହିବାକୁ ପରାମର୍ଶ ଦେଇଥିଲେ । ଆଉ ଡାକ୍ତରଙ୍କ ପରାମର୍ଶ ମାନି ଘରର ସବୁ ସଦସ୍ୟ ଅଲଗା ରହିବା ସହ ସାମାଜିକ ଦୂରତା ବଜାୟ ରଖିଲେ ଆଉ କୋରୋନାକୁ ହରାଇ ସୁସ୍ଥ ହେଲେ ।
ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଆବଶ୍ୟକ ସୂଚନା ସହ ତୁରନ୍ତ ପ୍ରତିକ୍ରିୟା ଦେଲେ । ଯାହା ଫଳରେ ଘରର ସଦସ୍ୟମାନେ ଔଷଧ ଖାଇବା ସହ ନିୟମିତ ଭାବେ ଚିକିତ୍ସା ଜାରି ରଖିଲେ । ଆମେ ଭୟ କରିବା ନାହିଁ । କୋରାନାକୁ ମାତ ଦେଇ ଆଗକୁ ବଢିବା । ଏଭଳି ବାର୍ତ୍ତା ନେଇ କୋରୋନା ରୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ଯୌଥ ପରିବାର । ଯଦି ଆପଣ କୋରୋନାରେ ଆକ୍ରାନ୍ତ ହେଉଛନ୍ତି ତେବେ ଭୟ କରନ୍ତୁ ନାହିଁ, ମନୋବଳ ଦୃଢ ରଖନ୍ତୁ, ସକରାତ୍ମକ ବିଚାର ସହ ମାନିସକ ଭାବେ ସୁସ୍ଥ ରୁହନ୍ତୁ, କୋଭିଡ ଗାଇଡଲାଇନ ମାନି କୋରୋନାକୁ ହରାନ୍ତୁ । ଆଉ ମନେରଖନ୍ତୁ ଚିକିତ୍ସା ଠାରୁ ଅଧିକ ଜରୁରୀ ସଚେତନତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ