ଜୟପୁର: ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ତାଲିମ କେନ୍ଦ୍ରରେ ଜଣେ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା ଘଟଣା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ 24 ଡିସେମ୍ବର 2021ରେ ଆତ୍ମହତ୍ୟା କରିଥିବା CRPF ଯବାନ ବିକାଶ କୁମାର ପତ୍ନୀଙ୍କ ପ୍ରତିକ୍ରିୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି ।
ଯୋଧପୁର CRPF ତାଲିମ କେନ୍ଦ୍ରରେ ଗତ ତିନି ବର୍ଷରେ ତିନି ଜଣ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନରେଶଙ୍କ ପୂର୍ବରୁ ଦୁଇ ଜଣ ଯବାନ ମଧ୍ୟ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ମୁହଁ ଖୋଲିଛନ୍ତି ମୃତ ଯବାନ ବିକାଶ କୁମାରଙ୍କ ପତ୍ନୀ । ସବିତା କହିଛନ୍ତି, "ଆସିଷ୍ଟାଣ୍ଟ କମାଣ୍ଡର ସଞ୍ଜୟ ଏବଂ ଡିଜିଙ୍କ କାରଣରୁ ମୋ ସ୍ବାମୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ବିକାଶଙ୍କ ମୃତ୍ୟୁ ଦିନ ତିନିଦିନ ଛୁଟି ମଞ୍ଜୁର ହୋଇଥିଲା । ତେଣୁ ସେ ଘରକୁ ଆସିବାର ଥିଲା। ଏହି ସମୟରେ ତାଙ୍କୁ ସକାଳେ ପରିବା ଆଣିବାକୁ ଦାୟିତ୍ବ ଦିଆଯାଇଥିଲା । ପରିବା ଆଣି ଘରକୁ ବାହାରୁଥିଲେ। ଏହାପରେ ଅମୃତଭଣ୍ଡା ଖରାପ ଆଣିଥିବା କହି ଆସିଷ୍ଟାଣ୍ଟ କମାଣ୍ଡର ସଞ୍ଜୟ ତାଙ୍କୁ ଗାଳିଗୁଲଜ କରିଥିଲେ । ଏଥିସହ ଡିଆଇଜି ମଧ୍ୟ ଗାଳି କରିଥିଲେ । ଯାହା ବିକାଶଙ୍କୁ ମାନସିକ ଭାବେ ଗଭୀର ଆଘାତ ଦେଇଥିଲା । ସେ ଘରକୁ ଆସିବା ପରିବର୍ତ୍ତେ ଅଫିସ ରୁମରେ ଯାଇ ଆତ୍ମହତ୍ୟା କରିଥିଲେ" ବୋଲି ବିକାଶଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ।
ସବିତା ଆହୁରି କହିଛନ୍ତି ତାଲିମ କେନ୍ଦ୍ରରେ ଦିଆଯାଉଥିବା ମାନସିକ ନିର୍ଯ୍ୟାତନା ଅତ୍ୟନ୍ତ ଅସହ୍ୟ । ତେଣୁ ତାଙ୍କ ସ୍ବାମୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଉଠାଇଥିଲେ । ବର୍ତ୍ତମାନ ସୁଦ୍ଧା ବିକାଶଙ୍କୁ ନ୍ୟାୟ ମିଳିନାହିଁ । ଆଉ ଏବେ ଅନ୍ୟଜଣେ ଯବାନ ନିଜ ଜୀବନ ହରାଇଛନ୍ତି । ଏଣୁ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ