ରାଞ୍ଚି: ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା (Jharkhand political crisis) ମଧ୍ୟରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ରାଜ୍ୟରେ ଶାସନରେ ଥିବା ୟୁପିଏ ମେଣ୍ଟର ପ୍ରତିନିଧୀ ଦଳ । ଆଜି (ଗୁରୁବାର) ଅପରାହ୍ନରେ 11 ଜଣିଆ ୟୁପିଏ ପ୍ରତିନିଧୀ ରାଜ୍ୟପାଳ ରମେଶ ବାଇସ (Governor Ramesh Bais)ଙ୍କୁ ଭେଟି ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ସମ୍ପର୍କରେ ଅବଗତ କରିବା ସହ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରଥିବା ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟପାଳ ମଧ୍ୟ ସେମାନଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ ହେବା ନେଇ ରାଜ୍ୟପାଳ ଆଶ୍ୱାସନା ମଧ୍ୟ ଦେଇଥିବା ସୂଚନା ଦେଇଛି ଏହି ଟିମ ।
ଆଜି ସକାଳେ ୟୁପିଏ ଟିମ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ପାଇଁ ରାଜଭବନ କର୍ତ୍ତୃପକ୍ଷଙ୍କ ଠାରୁ ସମୟ ମାଗିଥିଲେ । ଅପରାହ୍ନ ପ୍ରାୟ 4 ଟାରେ ରାଜ୍ୟପାଳ ସେମାନଙ୍କ ସହ ଆଲୋଚନା କରିବା ନେଇ ସମୟ ଦେବାକୁ ସହମତି ଦେବା ପରେ ଏହି ଟିମ ରାଜଭବନ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ପ୍ରାୟ 11 ଜଣ ସଦସ୍ୟ ରହିଥିଲେ । ଏମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରି ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ସଙ୍କଟ ସମ୍ପର୍କରେ ଅବଗତ କରିଥିଲେ ।
ଏହି ପ୍ରତିନିଧୀ ଦଳ (UPA delegation meets Governor) ରେ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ, ଜେଏମଏମ ରାଜ୍ୟସଭା ସାଂସଦ ମହୁଆ ମାଜି, କଂଗ୍ରେସ ସାଂସଦ ଗୀତା କୋଡା, କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି, ଜେଏମଏମ ନେତା ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଏବଂ ବିନୋଦ ପାଣ୍ଡେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ସାମିଲ ରହିଥିଲେ । ଏହି ନେତାଙ୍କ ଗୋଷ୍ଠୀ ରାଜଭବନରେ ପ୍ରାୟ ପ୍ରାୟ ଅଧ ଘଣ୍ଟା ଧରି ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନରୁ ୟୁପିଏ ପ୍ରତିନିଧି ଦଳ ବାହାରକୁ ଆସିବା ପରେ ଆଲୋଚନା ନେଇ ସୂଚନା ଦେଇଥିଲେ ।
ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସାଂସଦ ଗୀତା କୋଡା କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ଅସ୍ଥିରତା ଦୂର କରିବାକୁ ୟୁପିଏ ପ୍ରତିନିଧି ରାଜ୍ୟପାଳ ରମେଶ ବାଇସଙ୍କ ନିକଟରେ ଦାବି କରିଛି । ରାଜ୍ୟପାଳ (Governor Ramesh Bais)ମଧ୍ୟ ଏନେଇ ଅଭିଯଗ ଶୁଣିବା ସହ ସମାଧାନ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଆଶ୍ବାସନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ