ନୂଆଦିଲ୍ଲୀ: ଜେଇଇ ମେନ ୨୦୨୧ର ଫଳାଫଳ ପ୍ରକାଶ ପାଇଛି । ତୃତୀୟ ପର୍ଯ୍ୟାୟରେ 17 ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ମାର୍କ ରଖିଛନ୍ତି । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶର କରନାମା ଲୋକେଶ ସବୁଠୁ ଅଧିକ ନମ୍ବର ରଖି ୧ ନମ୍ବର ସ୍ଥାନ ହାସଲ କରିଛନ୍ତି । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ୪ ଜଣ ଲେଖାଏଁ ଟପ୍ପର ହୋଇଛନ୍ତି ।
ଏପ୍ରିଲ୍ 2021ରେ ପରୀକ୍ଷା ପାଇଁ ଧାର୍ଯ୍ୟ କରାଯାଇଥିଲା କାର୍ଯ୍ୟସୂଚୀ । ହେଲେ ମହାମାରୀ କାରଣରୁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଯାହା କୋରୋନା କଟକଣା ମଧ୍ଯରେ ଜୁଲାଇ ମାସରେ ହୋଇଥିଲା । ତୃତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ପାଇଁ 7 ଲକ୍ଷରୁ ଅଧିକ ଛାତ୍ର ପଞ୍ଜୀକୃତ କରିଥିଲେ । ଜେଇଇ ମେନର ଆଉ ଏକ ପର୍ଯ୍ୟାୟ ପରୀକ୍ଷା ହେବ । ଯାହା ପରେ ଅଲ-ଇଣ୍ଡିଆ ମେରିଟ୍ ତାଲିକା ପ୍ରକାଶ ପାଇବ ।
ଜେଇଇ ମେନର ପରୀକ୍ଷା ପାଇଁ ଦେଶର ୩୩୪ ସହରର ୯୧୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ଏହାସହ ବାହାରିନ, କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କୁଆଲାଲାମପୁର, ଲାଗୋସ୍, ମସ୍କାଟ, ରିୟାଦ, ଶାରଜା, ସିଙ୍ଗାପୁର ଏବଂ କୁଏତରେ ମଧ୍ୟ ପରୀକ୍ଷା ହୋଇଥିଲା । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି ।
ବନ୍ୟା କାରଣରୁ ମହାରାଷ୍ଟ୍ରର 1899 ଛାତ୍ରଛାତ୍ରୀ ଜୁଲାଇ 25 ଓ 27ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଦେଇପାରି ନଥିଲେ । ସେମାନେ ଅଗଷ୍ଟ ୩ ଓ ୪ ତାରିଖରେ ଏନଟିଏ ଦ୍ବାରା ହୋଇଥିବା ପରୀକ୍ଷା ଦେଇଥିଲେ । ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଭାରତର ପ୍ରମୁଖ ଇଂଜିନିୟରିଂ କଲେଜରେ ଆଡମିସନ କରିବା ଲାଗି ଯୋଗ୍ୟ ବିବେଚିତ ହେବେ । ସେହିପରି କୃତି ଛାତ୍ରଛାତ୍ରୀମାନେ ଜେଇଇ ଆଡଭାନ୍ସ ବା ଆଇଆଇଟି ପ୍ରବେଶିକା ପରୀକ୍ଷା ଦେବା ପାଇଁ ଯୋଗ୍ୟତା ହାସଲ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ