ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର 4ର୍ଥ ବୈଠକ ଶେଷ ହୋଇଛି । ହେଲେ ଏହା ଆରମ୍ଭ ହେବା ପୂର୍ବରୁ ପାଟନାରେ ଦେଖିବାକୁ ମିଳିଛି ନୀତିଶ କୁମାରଙ୍କ ସମର୍ଥକଙ୍କ ଦାବିଦାରି । ନୀତିଶଙ୍କୁ ମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁ ବୋଲି ପୋଷ୍ଟର ଲଗାଇ ଦାବି କରିଛନ୍ତି ଯେଡିୟୁ କର୍ମୀ । ଯଦି ସତରେ ମେଣ୍ଟ ବିଜୟ ଚାହୁଁଛି, ତେବେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ପଡିବ ବୋଲି ପୋଷ୍ଟରରେ ଉଲ୍ଲେଖ ହୋଇଛି । ହେଲେ ସଂଧ୍ୟାରେ ଶେଷ ହୋଇଥିବା ବୈଠକରେ ସେପରି କିଛି ଦେଖିବାକୁ ମିଳିନି । ବରଂ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସ୍ତାବ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଆଡକୁ ଯାଇଛି । ନୀତିଶଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିମ୍ବା ମେଣ୍ଟ ଆବାହକ ଭାବେ କେହି ସହଯୋଗୀ ଦଳ ମୁଖ୍ୟ ପ୍ରସ୍ତାବ ରଖିନାହାନ୍ତି ।
ସୂଚନା ଅନୁସାରେ, ବିହାର ରାଜଧାନୀ ପାଟନାର ଇନକମ ଟ୍ୟାକ୍ସ ଛକ ନିକଟରେ ଜେଡିୟୁ କର୍ମୀମାନେ ଜାତୀୟ ରାଜପଥ କଡ଼ରେ ଏକାଧିକ ବିଶାଳ ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ନୀତିଶଙ୍କ ଫଟୋ ସହ ହିନ୍ଦୀରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ‘‘ଯଦି ଆମେ ପ୍ରକୃତରେ ବିଜୟ ଚାହୁଁ, ତେବେ ଆମକୁ ଏକ ନିଶ୍ଚୟ ଦରକାର, ଆମକୁ ନୀତୀଶ ଦରକାର ।’’ ହେଲେ ଏହି ପୋଷ୍ଟର ଯେଡିୟୁ କର୍ମୀ ଓ ନୀତିଶଙ୍କ ସମର୍ଥକଙ୍କ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଜେଡିୟୁ କୌଣସି ପ୍ରତିକ୍ରିୟା ଦେଇନି ।
ମେଣ୍ଟ ଗଠନର ପ୍ରଥମରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ମେଣ୍ଟ ଆବାହକ ହେବା ନେଇ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି । କେବଳ ଏହି କାରଣ ପାଇଁ ସେ ବିଜେପି ସହ ରାଜ୍ୟରେ ମେଣ୍ଟ ଭାଙ୍ଗିଛନ୍ତି ବୋଲି ମଧ୍ୟ ବିଜେପି କ୍ରମାଗତ ଅଭିଯୋଗ କରିଆସିଛି । ମାତ୍ର ନୀତିଶ ଏହାକୁ ମଧ୍ୟ ପ୍ରଥମରୁ ଖଣ୍ଡନ କରିଆସୁଛନ୍ତି । ତାଙ୍କର କୌଣସି ପଦ ପଦବୀର ଲୋଭ ନାହିଁ ବୋଲି ନୀତିଶ କହିଛନ୍ତି । ଏହାରି ମଧ୍ୟରେ ଆଜି 4ର୍ଥ ମେଣ୍ଟ ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ମେଣ୍ଟର ଦୁଇ ବରିଷ୍ଠ ସହଯୋଗୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରସ୍ତାବ ରଖିଛନ୍ତି । ଅନ୍ୟମାନେ ଏହାକୁ ସମର୍ଥନ କରିଥିବା ବେଳେ ନିଜେ ଖଡଗେ ଅନିଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ