ରାୟପୁର: ଛତିଶଗଡରେ ଲାଲବାହୀନିର ଲଙ୍କାକାଣ୍ଡ । ପୁଣି ନିଜର ଦବଦବା ଜାହିର କଲେ ମାଓବାଦୀ । ରାଜନନ୍ଦଗାଓଁରେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଶହୀଦ ଯବାନ ହେଉଛନ୍ତି ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଲଲିତ ।
ଏନେଇ ନକ୍ସଲ ଅପରେସନ୍ ଡିଏସପି ଅଜିତ ଓଙ୍ଗ୍ରେ କହିଛନ୍ତି ଯେ, ''ଆଜି ସକାଳ ପ୍ରାୟ 8 ରୁ 8.30 ମଧ୍ୟରେ ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋନ୍ଦିଆ ସୀମାରେ ଯବାନଙ୍କ ଦ୍ବାରା ମୋହବାଇଲ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଥିଲା । ଚେକିଂ ଜାରି ରହିଥିବା ବେଳେ ମାଓବାଦୀ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯବାନଙ୍କ ଉପରକୁ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଶହୀଦ ହୋଇଥିଲେ । ଏଥିସହ ଉକ୍ତ ସ୍ଥାନରେ ଥିବା ବାଇକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ବତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ-Nagaland Assembly Polls: ପାଖେଇ ଆସୁଛି ନିର୍ବାଚନ, ଆଜି ମଇଦାନକୁ ଓହ୍ଲାଇବେ ଅମିତ ଶାହ
ଗତ ଜାନୁଆରୀ 12 ତାରିଖରେ ଝାଡ଼ଖଣ୍ଡର ଚାଇବସା ସହରରେ ଆଇଡି ବିସ୍ଫୋରଣ ହୋଇଥିଲା । ମାଓବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ 3 ଜଣ ସିଆରପିଏଫ(CRPF) ଯବାନ ଆହତ ହୋଇଥିଲେ । ଆହତ ହୋଇଥିବା ପାରାମିଲିଟାରୀ ଫୋର୍ସର କୋବ୍ରା ବାଟାଲିୟନ ସେନାଙ୍କୁ ଏୟାରଲିଫ୍ଟ କରାଯାଇ ରାଞ୍ଚିକୁ ସ୍ଥାନାନ୍ତରିତ କରାଯାଇଥିଲା ।
ବିସ୍ଫୋରଣର ଶିକାର ହୋଇଥିବା 3 ଯବାନ ହେଉଛନ୍ତି ଅମରେଶ ସିଂ, ସୌରଭ କୁମାର ଓ ସନ୍ତୋଷ ସିଂ । ଏହାର କିଛିଦିନ ପୂର୍ବରୁ ଆଇଡି ବିସ୍ଫୋରଣ ଯୋଗୁଁ ପାରାମିଲିଟାରୀ ଫୋର୍ସର 6 ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ମଧ୍ୟ ଏୟାରଲିଫ୍ଟ ଦ୍ବାରା ରାଞ୍ଚିକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ଆଇଡି ବିସ୍ଫୋରଣ ନେଇ ଚାଇବସା ଏସପି ଆଶୁତୋଷ ଶେଖର କହିଥିଲେ ଯେ ଏହି ଅଞ୍ଚଳରେ ମାଓ ଦମନ ଅପରେସନ ଜାରି ରହିଛି । ମାଓ କମାଣ୍ଡର ମିଶିର ବେସ୍ରାକୁ ଯିଏ ଦମନ କରିବ ତାକୁ 1 କୋଟି ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା ହୋଇଥିଲା । ପୋଲିସ ଓ ପାରାମିଲିଟାରୀ ଫୋର୍ସର ମିଳିତ ଉଦ୍ୟମରେ ମାଓ ଦମନ ଅପରେସନ ଆରମ୍ଭ ହୋଇଛି ।