ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ୨ ଘଣ୍ଟାରେ ୩ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସର୍ବପ୍ରଥମେ ଶ୍ରୀନଗର ସ୍ଥିତ ଇକବାଲ ପାର୍କ ନିକଟ ବିନ୍ଦରୁ ମେଡିଟେକ ମାଲିକ ମାଖନଲାଲଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଏହି ସମୟରେ ନିଜ ଫାର୍ମାସିରେ ଥିଲେ ମାଖନଲାଲ ।
ଏହା ପରେ ରାତି ପ୍ରାୟ 8.30 ସମୟରେ ଆତଙ୍କବାଦୀମାନେ ଲାଲ ବଜାର ଅଞ୍ଚଳରେ ଗୁପଚୁପ ବିକ୍ରେତା ବିରେନ୍ଦ୍ର ପାସୱାନଙ୍କୁ ହତ୍ୟା କରିଥିଲେ। ବିରେନ୍ଦ୍ର ପାସୱାନ ବିହାରର ଭାଗଲପୁରର ବାସିନ୍ଦା। ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।
ରାତି ପ୍ରାୟ 8.45 ସମୟରେ ଆତଙ୍କବାଦୀମାନେ ବାନ୍ଦିପୋରାର ଶାହଗୁଣ୍ଡ ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ମୃତକ ନାୟଦଖାଇ ନିବାସୀ ମହମ୍ମଦ ଶାଫି ଲୋନ ବୋଲି ଜଣାପଡିଛି। ଆତଙ୍କୀ ଆକ୍ରମଣ ପରେ ଏହି ସମସ୍ତ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।