ଶ୍ରୀନଗର: ଶ୍ରୀନଗରରେ ପୁଣି ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା । ଶ୍ରୀନଗରର ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗୁଳି କରି ହତ୍ୟା କରିଛି ଅଜଣା ଆତତାୟୀ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ସ୍ଥାନୀୟ ନିବାସୀ ମହମ୍ମଦ ଶାଫି ଖାନଙ୍କ ପୁଅ ରୁଫ ଅହମ୍ମଦ ଖାନ । ହତ୍ୟାର କାରଣ ଜଣାପଡିନଥିବା ବେଳେ ଏହା ଏକ ଆତଙ୍କୀ ଆକ୍ରମଣ ବୋଲି ସନ୍ଦେହ କରୁଛି ସ୍ଥାନୀୟ ପୋଲିସ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (ବୁଧବାର) ଶ୍ରୀନଗରର ଇଦ୍ଗା ଅଞ୍ଚଳରେ ଥିବା ନିଜ ଘର ସାମ୍ନାରେ ରୁଫ ଅହମ୍ମଦ ଖାନ ବୁଲୁଥିବାବେଳେ ତାଙ୍କ ଉପରେ ଜଣେ ଅଜଣା ବନ୍ଧୁକଧାରୀ ଅତର୍କିତ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ପରେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଖାନ ଜଣେ ପର୍ପଟି ଡିଲର ଭାବରେ କାର୍ଯ୍ୟ କରୁଥିଲେ । ତେବେ ହତ୍ୟାକାଣ୍ଡ ନେଇ କିଛି ସ୍ପଷ୍ଟ କାରଣ ସମ୍ନାକୁ ଆସିନଥିବାବେଳେ ବିଭିନ୍ନ ସାମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ