ଶ୍ରୀନଗର: ୨୦୨୪ ସାଧାରଣ ନିର୍ବାଚନ ପରେ ଜମ୍ମୁ ଓ କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଭୋଟର ତାଲିକା ସଂଶୋଧନ ନେଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୋଲ୍ ପ୍ୟାନେଲ । ଜାନୁଆରି ୧୫ରେ ଆରମ୍ଭ ହେବ ଏହି ଅଭିଯାନ । ପଞ୍ଚାୟତ ସ୍ତରରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟ ନିର୍ବାଚନ କମିଶନର ବି. ଆର୍. ଶର୍ମା ସୂଚନା ଦେଇଛନ୍ତି ଯେ. ଆସନ୍ତା ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଯାହାର ବୟସ ୧୮ ବର୍ଷ ହେଉଥିବ, ସେମାନେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରେବେ । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ବାର୍ଷିକ ପଞ୍ଚାୟତ ଇଲେକ୍ଟୋରାଲ୍ ରୁଲ୍ ରିଭିଜନ ନେଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଜାନୁଆରି ୧୫ରୁ ଆରମ୍ଭ ହୋଇ ଫେବ୍ରୁଆରି ୫ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିପାଇଁ ଜାନୁଆରି ୨୭, ଜାନୁଆର ୨୮, ଫେବ୍ରୁଆରି ୩ ଓ ଫେବ୍ରୁଆରି ୪ରେ କ୍ୟାମ୍ପ ଲଗାଯିବ । ଫେବ୍ରୁଆରି ୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ସୁପ୍ରିମକୋର୍ଟଙ୍କ ଡେଡ୍ ଲାଇନ୍:
୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀର ପୁନର୍ଗଠନ ନିୟମ ୨୦୧୯ ସାମ୍ବିଧାନିକ ବୈଧତା ସଂପର୍କିତ ମାମଲାର ରାୟ ଶୁଣାଇବା ସମୟରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟରେ ନିର୍ବାଚନ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରିଯିବ । ପରେ ନିର୍ବାଚନ ସଂପର୍କିତ ଅନ୍ୟ କାର୍ଯ୍ଯ ଆରମ୍ଭ ହେବ ବୋଲି କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଲୋକସଭା ନିର୍ବାଚନ ପରେ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ ଓ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୨୦୧୪ରେ ଶେଷ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହୋଇଥିଲା । ସେହିପରି ପଞ୍ଚାୟତ ଏବଂ ଅର୍ବାନ ଲୋକାଲ ବଡି ନିର୍ବାଚନ ମଧ୍ୟ କରାଯିବ । ୨୦୧୮ରେ ଜମ୍ମୁ ଓ କାଶ୍ମୀରରେ ଶେଷ ଥର ପାଇ ପଞ୍ଚାୟତ ନିର୍ବାଚନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ