ଚଣ୍ଡିଗଡ: ଇଣ୍ଡିଗୋ ବିମାନରେ ମଦ୍ୟପ ଯାତ୍ରୀଙ୍କ ଉନ୍ମତ କାଣ୍ଡ । ନିଶାସକ୍ତ ଅବସ୍ଥାରେ ମହିଳା କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କଲେ ଯାତ୍ରୀ। ବିମାନ ଅବତରଣ ପରେ ଯାତ୍ରୀ ଜଣଙ୍କୁ ଗିରଫ କଲା ପୋଲିସ । ଦୁବାଇରୁ ଅମୃତସର ଅଭିମୁଖେ ଆସୁଥିବା ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଏପରି କାଣ୍ଡ ଭିଆଇଥିଲେ ଯାତ୍ରୀ ଜଣଙ୍କ । ଗିରଫ ଯାତ୍ରୀ ହେଉଛନ୍ତି ଜଳନ୍ଧର କୋଟଲି ଅଞ୍ଚଳର ରାଜେନ୍ଦ୍ର ସିଂ । ପଞ୍ଜାବର ଅମୃତସର ବିମାନ ବନ୍ଦରରୁ ରାଜେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୁବାଇରୁ ଅମୃତସର ଅଭିମୁଖେ ଇଣ୍ଡିଗୋ ବିମାନ 6E 1428 ଉଡାଣ ଆରମ୍ଭ କରିଥିଲା । କିନ୍ତୁ ବିମାନ ଉଡାଣ ପୂର୍ବରୁ ଯାତ୍ରୀ ରାଜେନ୍ଦ୍ର ସିଂ ମଦ୍ୟପାନ କରି ବିମାନକୁ ଯାଇଥିଲେ । ଏହାପରେ ଉଡାଣ ସମୟରେ ମଧ୍ୟ ବିମାନରେ ମଦ୍ୟପାନ କରି ମହିଳା କ୍ରୁ ମେମ୍ବରଙ୍କୁ ଅସଦାଚରଣ କରିବା ସହ ଉଚ୍ଚ ସ୍ବରରେ ପାଟି କରିଥିଲେ । ଏହି ସମୟରେ ଅନ୍ୟ କ୍ରୁ ମେମ୍ବର ମାନେ ଯାତ୍ରୀ ଜଣଙ୍କୁ ନିୟନ୍ତ୍ରଣ କରିଥିଲେ । ବିମାନଟି ଯେତେବେଳେ ଅମୃତସରରେ ଅବତରଣ କରିଥିଲା ସେହି ସମୟରେ ମଦ୍ୟପ ଯାତ୍ରୀ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଇଣ୍ଡିଗୋ ଏୟାରଲାଇନ୍ସର ଆସିଷ୍ଟାଣ୍ଟ ସିକ୍ୟୁରିଟି ମ୍ୟାନେଜର ଅଜୟ କୁମାରଙ୍କ ଅଭିଯୋଗ ଅନୁଯାୟୀ, ଉଡ଼ାଣ ସମୟରେ ଅଭିଯୁକ୍ତ ରାଜେନ୍ଦ୍ର ମଦ୍ୟପାନ କରିବା ପରେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିଥିଲେ । ଏହାପରେ ଉଚ୍ଚ ସ୍ୱରରେ ପାଟି କରିଥିଲେ । ରାଜସନସି ପୋଲିସ ଷ୍ଟେସନରେ ଏପରି ଅଭିଯୋଗ ପରେ ପୋଲିସ ଯାତ୍ରୀ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଇପିସିର ଧାରା 354 ଏବଂ 509 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।
ଗତ ଜାନୁଆରୀ ମାସରେ ମହାରାଷ୍ଟ୍ର ନାଗପୁରରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଡୋର ଖୋଲିବାକୁ ଜଣେ ଯାତ୍ରୀ ଉଦ୍ୟମ କରିଥିଲେ । ଏନେଇ ଯାତ୍ରୀଙ୍କ ବିରୁଦ୍ଧରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ ଏକ ମାମଲା ରୁଜୁ କରିଥିଲା । ତେବେ ଜାନୁଆରୀ 24 ତାରିଖ ଦିନ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ 31 ତାରିଖରେ ମୁମ୍ବାଇରୁ ଗୋରଖପୁରକୁ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଧୂମପାନ କରିଥିବା ଖବର ସାମ୍ନାକୁ ଆସିଥିଲା । ବିମାନରେ ଧୂଆଁ ହେବାରୁ ଫାୟାର ଆଲାର୍ମ ବାଜିଥିଲା । ଏହାପରେ ବିମାନ କର୍ମଚାରୀ ଯାତ୍ରୀ ଜଣଙ୍କୁ ତାଗିଦ କରିଥିଲେ ।