ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ମଣ୍ଡିରେ ଆୟୋଜିତ ଏକ ବିଶାଳ ଧାର୍ମିକ ସଭାରେ ଶଙ୍କରାଚାର୍ଯ୍ୟ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ମୋଦିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି କୂଟନୀତି କ୍ଷେତ୍ରରେ ପାରଦର୍ଶୀ ଅଟନ୍ତି । କିନ୍ତୁ ଦୁଇଟି କାର୍ଯ୍ୟରେ ମୋଦି ଦୁର୍ବଳ ଅଟନ୍ତି । ଗୋ ରକ୍ଷା ଏବଂ ହିନ୍ଦୁ ଧର୍ମାନ୍ତରଣ ଉପରେ ରୋକ ଲଗାଇବା ପାଇଁ ମୋଦି କୌଣସି ବିହିତ ପଦକ୍ଷେପ ନେଉନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ।
ତିନି ଦିନି ହିମାଚଳ ପ୍ରଦେଶରେ ଆସିଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଣ୍ଡି ଜିଲ୍ଲାର ସୁନ୍ଦରଗଡ଼ରେ ଆୟୋଜିତ ଏକ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ଏହି କ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବୟାନ ଦେଇ କହିଛନ୍ତି, "ଯଦି ନରେନ୍ଦ୍ର ମୋଦି ଗୋ ସୁରକ୍ଷା ପାଇଁ ବିକଳ୍ପ ଉପାୟ ବାହାର କରିବେ ଏବଂ ଧର୍ମାନ୍ତରଣକୁ ରୋକିବାରେ ସଫଳ ହୁଅନ୍ତି । ତେବେ ସେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ । ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ ପୁରୀ ଗସ୍ତରେ ଆସି ତାଙ୍କ ସହ ସାକ୍ଷାତ କରିଥିଲେ । ଏଥିସହ ତାଙ୍କ କାର୍ଯ୍ୟକାଳ ସମୟରେ କମ ଭୁଲ କରିବାକୁ ଆଶୀର୍ବାଦ ମାଗିଥିଲେ ।ସେ ଆହୁରି ମଧ୍ୟ କହିଛନ୍ତି, "ସରକାରଙ୍କ କୂଟନୀତି ହେଉଛି ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବା । ଦର୍ଶନ, ବିଜ୍ଞାନ ଏବଂ ଅଭ୍ୟାସ ଦୃଷ୍ଟିକୋଣରୁ ସନାତନ ସିଦ୍ଧାନ୍ତ ସବୁଠାରୁ ଉତ୍କୃଷ୍ଟ ଅଟେ । ସନାତନ ଧର୍ମରେ ମିଳୁଥିବା ବିଭିନ୍ନ ସାମାଜିକ ବ୍ୟବସ୍ଥା ଏତେ ଉତ୍ତମ ଯେ, କୌଣସି ବୁଦ୍ଧିମାନ ବ୍ୟକ୍ତି ସନାତନ ସିଦ୍ଧାନ୍ତ ଛାଡି ଧର୍ମ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ । ଗୋହତ୍ୟା କେଳେଙ୍କାରୀକୁ ପ୍ରୋତ୍ସାହନ ଦେଉଥିବା ଏବଂ ହିନ୍ଦୁ ଧର୍ମ ପରିବର୍ତ୍ତନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ ମୋଦି ବିଫଳ ହୋଇଛନ୍ତି ।"
ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ବିବାହ ଉପରେ ଦେଶର ସଂସ୍କୃତି ସହିତ ଆଦର୍ଶ ଓ ଅସ୍ତିତ୍ବ ନିର୍ଭର କରେ । ଦେଶର ଅସ୍ତିତ୍ବକୁ ନଷ୍ଟ କରିବା ପାଇଁ ସମଲିଙ୍ଗୀ ବିବାହ ଏକ ଷଡଯନ୍ତ୍ର । ସମଲିଙ୍ଗୀ ବିବାହ ସପକ୍ଷରେ ଥିବା ବିଚାରପତିଙ୍କୁ ପ୍ରଶ୍ନ ଯେ, ସେ ସମଲିଙ୍ଗୀ ବିବାହ କରିଛନ୍ତି ନା ନାହିଁ ? ଯଦି ସେ ଏପରି କରିନାହାନ୍ତି ତେବେ ଅନ୍ୟମାନଙ୍କ ଏଥିପ୍ରତି ପ୍ରବର୍ତ୍ତାଇ ଦେଶର ସଂସ୍କୃତିକୁ ବିକୃତ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ସମଲିଙ୍ଗୀ ବିବାହ ସମ୍ବନ୍ଧରେ କୌଣସି ପ୍ରସଙ୍ଗ ଉପୁଜେ, ତେବେ ଏହା ଅନ୍ୟାୟର ଚରମସୀମା ବୋଲି ଶଙ୍କରାଚାର୍ଯ୍ୟ ନିଜ ବିବୃତ୍ତିରେ କହିଛନ୍ତି ।