ନୂଆଦିଲ୍ଲୀ: ଋଷର ପ୍ରଚଣ୍ଡ ଆକ୍ରମଣରେ ସଙ୍କଟ ମଧ୍ୟରେ ଗତି କରୁଥିବା ୟୁକ୍ରେନବାସୀକୁ ସହଯୋଗର ହାତ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କଲେ କାଶ୍ମୀରରେ ବିବାହ କରିଥିବା ୟୁକ୍ରେନୀୟ ମହିଳା ଏଲିଜା । ଆକ୍ରମଣରେ ୟୁକ୍ରେନୀୟ ମାନେ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି, ଭାରତ ସରକାର ସେମାନଙ୍କୁ ଯଥାସମ୍ଭବ ସହାଯ୍ୟ କରିବାକୁ ପ୍ରାୟସ କରୁବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ।
ଏଲିଜା କାଶ୍ମୀରର ଜଣେ ଯୁବକଙ୍କୁ ବିବାହ କରି ପୁଲଓ୍ବାମାରେ ରହୁଛନ୍ତି। କିନ୍ତୁ ନିଜ ପରିବାର ଏବେ ୟୁକ୍ରେନରେ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଚଳିତ ହୋଇପଡିଛନ୍ତି ଏଲିଜା । କେବଳ ତାଙ୍କ ପରିବାର ନୁହେଁ ସମଗ୍ର ୟୁକ୍ରେନୀୟବାସୀ ବର୍ତ୍ତମାନ ଏକ ସଙ୍କଟମୟ ସ୍ଥିତିରେ ଗତି କରୁଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ସରକାର ସେଠାରେ ସେମାନଙ୍କ ସୁରକ୍ଷା ନେଇ ଯଥାସମ୍ଭବ ପ୍ରୟାସ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ଏଲିଜା ଆହୁରି ମଧ୍ୟ କହିଛନ୍ତି ୟୁକ୍ରେନୀୟ ନାଗରିକମାନେ ଶାନ୍ତିପ୍ରିୟ । ସେମାନେ ଶାନ୍ତି ଓ ଗଣତନ୍ତ୍ର ପାଇଁ ଯୁଦ୍ଧ ଲଢୁଛନ୍ତି । ସେମାନେ ସେମାନଙ୍କ ଦେଶରେ ବେସ ଖୁସି ଥିଲେ, ଋଷ ସେମାନଙ୍କ ଦେଶରେ ପ୍ରବେଶ କରି ସେମାନଙ୍କ ସ୍ବାଧୀନତା ନଷ୍ଟ କରୁବୋଲି ସେମାନେ ଚାହାନ୍ତି ନାହିଁ ।
ଗତମାସ ୨୪ ତାରିଖରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ପୂର୍ବ ୟୁକ୍ରେନରୁ ଆରମ୍ଭ ହୋଇଥିବା ଋଷ ରାଷ୍ଟ୍ରପତି ପୁଟିନଙ୍କ ସାମରିକ ଅପରେସନ ବର୍ତ୍ତମାନ ଏକ ବିଶାଳ ଯୁଦ୍ଧରେ ପରିଣତ ହେଲାଣି । ୟୁକ୍ରେନର ଅନେକ ସହର ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଫଳରେ ସେଠାରେ ଏବେ ଭୟାବହ ସ୍ଥିତି ସୃଷ୍ଟି ହେବାରେ ଲାଗିଲାଣି । ଏକାଧିକ ପ୍ରମୁଖ ୟୁକ୍ରେନୀୟ ସହର ବର୍ତ୍ତମାନ ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି । ଦେଶବାସୀ ଦେଶଛାଡି ପଳାୟନ କରୁଥିବା ବେଳେ ଅନେକ ସାଧାରଣ ନାଗରିକ ମଧ୍ୟ ଆକ୍ରମଣରେ ପ୍ରାଣ ହରାଇଲେଣିି ।
ଏପରି ସତ୍ତ୍ବେ ମଧ୍ୟ ଋଷ ଯୁଦ୍ଧ ବନ୍ଦ କରିବା ଦିଗରେ କୌଣସି ନିଷ୍ପତ୍ତି ନେଉନାହିଁ, ଯାହା ୟୁକ୍ରେନୀୟଙ୍କ ଦୁର୍ଦ୍ଦଶାକୁ ବଢାଇବାରେ ଲାଗିଛି । ଏପରି ସ୍ଥଳ ଅନ୍ୟ କିଛି ଦେଶଙ୍କ ସହ ଭାରତ ମଧ୍ୟ ନିଜର ନାଗରିକଙ୍କୁ ସ୍ବଦେଶ ଫେରାଇବା ପାଇଁ ସ୍ବତନ୍ତ୍ର ଉଦ୍ଧାର ଅପରେସନ ଜାରି ରଖିଛି । ଭାରତ ଋଷର ପ୍ରମୁଖ ବନ୍ଧୁରାଷ୍ଟ୍ର ଭାବେ ଯୁଦ୍ଧ ବିରାମ ଓ ଶାନ୍ତି ଆଲୋଚନା ପାଇଁ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରନ୍ତୁ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ କହିସାରିଥିବା ବେଳେ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇ ରାଜନୈତିକ ସମର୍ଥନ ମାଗିଥିଲେ । ଏହି ଯୁଦ୍ଧର ଅବସାନ ଓ ଶାନ୍ତି ଆଲୋଚନାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ବୋଲି ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ମଧ୍ୟ ଆଶା ପ୍ରକଟ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ