ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ ମାଲ୍ଲା ରେଡ୍ଡୀଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢାଉ କରିଛି । ମନ୍ତ୍ରୀଙ୍କ ଘର, କାର୍ଯ୍ୟାଳୟ ସମେତ କିଛି ନିକଟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏକକାଳୀନ ଚଢାଉ କରିଛି ଆୟକର ବିଭାଗ । ରେଡ୍ଡୀ ଓ ତାଙ୍କ ସମ୍ପର୍କୀୟଙ୍କ ମାଲିକାନାରେ ଏକାଧିକ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଛି (IT raid at residences of TRS Minister) । ଏହି ଚଢାଉରେ ଘର ସମେତ କାର୍ଯ୍ୟାଳୟ ଓ କିଛି ଶିକ୍ଷାନୁଷ୍ଠାନରେ ମଧ୍ୟ ଚଢାଉ କରି କାଗଜପତ୍ର ଜାଞ୍ଚ ଜାରି ରଖିଛନ୍ତି ଆୟକର ଅଧିକାରୀ ।
ତେବେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିଥିବା କେସିଆର ସରକାରର ଦ୍ବିତୀୟ ମନ୍ତ୍ରୀ ହେଉଛନ୍ତି ମାଲ୍ଲା ରେଡ୍ଡୀ । ଏହା ପୂର୍ବରୁ ନଭେମ୍ବର 9 ତାରିଖରେ କେସିଆରଙ୍କ ମନ୍ତ୍ରୀ ଗାଙ୍ଗୁଲା କାମଲାକର ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରକୁ ଆସି ସାରିଛନ୍ତି । ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ବାସଭବନ ସମେତ ଅଫିସ ଓ ଅନ୍ୟ କିଛି ଠିକଣାରେ ଏକାକାଳୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଚଢାଉ କରିଥିଲେ ।
ତେବେ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଉପରେ ବର୍ଷିଛି ଟିଆରଏସ । ରାଜନୈତିକ ଆକ୍ରୋଶ ରଖି ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ସଂସ୍ଥାର ବ୍ୟବହାର କରି ଏପରି କରୁଥିବା ଦଳ ଅଭିଯୋଗ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ