ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ରବି ସିହ୍ନା ହେଲେ ଅନୁସନ୍ଧାନ ଓ ବିଶ୍ଳେଷଣ ଓ୍ବିଙ୍ଗ୍ (RAW)ର ନୂତନ ମୁଖ୍ୟ । ସଂସଦର କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନାମକୁ ଅନୁମୋଦନ ଦେବା ପରେ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଏହି ନିଯୁ୍କ୍ତି ମିଳିଛି । IPS ରବି ସିହ୍ନା ହେଉଛନ୍ତି 1988 ବ୍ୟାଚର ଛତିଶଗଡ କ୍ୟାଡର ଅଧିକାରୀ । IPS ସିହ୍ନା ଏବେ କ୍ୟାବିନେଟ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଦାୟିତ୍ବ ଗ୍ରହଣ କରିବାର 2 ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ପରେ ଆବଶ୍ୟକତା ଦୃଷ୍ଟିରୁ ସରକାର ଚାହିଁଲେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିପାରନ୍ତି ।
ଅଧିକାରୀ ସିହ୍ନା ଗୁଇନ୍ଦା ବିଭାଗରେ ଜଣେ ଅଣ୍ଡର କଭର ଅଧିକାରୀ ଭାବେ କାର୍ଯ୍ୟ କରିବାର ପ୍ରାୟ 2 ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରଖିଛନ୍ତି । ତେବେ ସେ RAW ମୁଖ୍ୟ ଭାବେ ପଦୋନ୍ନତି ପାଇବା ପୂର୍ବରୁ RAWର ଅପରେସନାଲ ଓ୍ବିଙ୍ଗର ନେତୃତ୍ବ ନେଉଥିଲେ । ଜମ୍ମୁ କାଶ୍ମୀର, ଉତ୍ତର-ପୂର୍ବ ଓ ବିଦେଶରେ ବହୁ ଗୁରୁତ୍ବପୂର୍ଣ୍ଣ ଅଣ୍ଡର କଭର ମିଶନରେ ସେ ନେତୃତ୍ବ ମଧ୍ୟ ନେଇଛନ୍ତି ।
ବର୍ତ୍ତମାନର RAW ମୁଖ୍ୟ ସାମନ୍ତ କୁମାର ଗୋଏଲଙ୍କଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଚଳିତମାସ ଜୁନ (30) ରେ ଗୋଏଲଙ୍କର କାର୍ଯ୍ୟକାଳ ଶେଷ ହେଉଛି । ବରିଷ୍ଠ ଆଇପିଏସ ସାମନ୍ତ କୁମାର ଗାଏଲ 2019 ଜୁନ 26 ତାରିଖରେ RAW ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 2022 ଜୁନରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହାକୁ ପୁଣି ଥରେ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଗୋଏଲଙ୍କୁ ଜଣେ ବିଶେଷଜ୍ଞ ଭାବେ ବିବେଚନା କରାଯାଏ । ତାଙ୍କ କାର୍ଯ୍ୟକାଳ ସମୟରେ ଉରି ଓ ପୁଲଓ୍ବାମା ଆକ୍ରମଣ ହୋଇଥିଲା ।
ପରେ ଭାରତୀୟ ସେନା ମଧ୍ୟ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (LOC) କରି ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ମଧ୍ୟ କରିଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ବାଲାକୋଟରେ ଏୟାରଷ୍ଟ୍ରାଇକ ଫଳରେ 3 ଶହ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଏ । ଅବଶ୍ୟ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା । ଭାରତୀୟ ସ୍ଥଳସେନା ଓ ବାୟୁସେନାର ଏହି ଅପରେସନରେ RAW ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଚଳିତମାସ 30ରେ ଗୋଏଲଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେ ଅବସର ନେବେ । ତାଙ୍କ ସ୍ଥାନରେ ବରିଷ୍ଠ IPS ଅଧିକାରୀ ରବି ସିହ୍ନା RAW ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ