1960ରେ ହୋଇଥିବା ଚୁକ୍ତି ମୁତାବକ ଭାରତ ଓ ପାକିସ୍ତାନ ଦେଇ ପ୍ରବାହିତ ସିନ୍ଧୁ ନଦୀ ଜଳ ଆବଣ୍ଟନ ଆଇନସମ୍ମତ କରିବା ପାଇଁ ରାଜି ହୋଇଥିବା ଦୁଇ ଦେଶ ଭାରତ ଓ ପାକିସ୍ତାନ ମଧ୍ୟରେ ଗଠିତ ସ୍ଥାୟୀ କମିଶନର ବୈଠକ ବସିବାକୁ ଯାଉଛି । ଏ ସମ୍ପର୍କିତ ଅନେକ ବିବାଦୀୟ ପ୍ରସଙ୍ଗ ଏବଂ ବିଶେଷକରି ଜାମ୍ମୁ ଓ କାଶ୍ମୀରର ଚେନାବ୍ ନଦୀରେ ନିର୍ମିତ ହେଉଥିବା ଜଳବିଦ୍ୟୁତ ପ୍ରକଳ୍ପ ନେଇ ଆଲୋଚନା କରିବାକୁ ଏକ ପ୍ରତିନିଧି ଦଳ ମଙ୍ଗଳବାର ଦିନ ନୂଆଦିଲ୍ଲୀ ଆସୁଛନ୍ତି ।
ଅନ୍ତତଃ ପ୍ରତିବର୍ଷ ଥରେ ବସିବାକୁ ଥିବା କମିଶନ ବୈଠକ ଶେଷଥର ପାଇଁ 2018ରେ ଲାହୋରରେ ବସିଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା, ବିଶେଷତଃ ଧାରା 370 ଉଚ୍ଛେଦ ପରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ହିଂସାପୂର୍ଣ୍ଣ ଘଟଣା କାରଣରୁ ଏହି ବୈଠକ ହୋଇପାରିନଥିଲା । ଏବେ ଦେଖାଯାଉଛି କୂଟନୈତିକ ଊଦ୍ୟମ ଯୋଗୁଁ ଅଚଳାବସ୍ଥା ଦୂର ହୋଇଛି ଏବଂ ଉଭୟ ରାଷ୍ଟ୍ର ଆଲୋଚନା ପାଇଁ ରାଜି ହୋଇଛନ୍ତି । ଫଳରେ ମାସକ ପୂର୍ବେ ଯୁଦ୍ଧ ବିରତି ରାଜିନାମା ସ୍ବାକ୍ଷରିତ ହୋଇଛି ।
ଦୁଇ ଦେଶ ଦେଇ ପ୍ରବାହିତ ନଦୀ ଜଳର ଉଚିତ୍ ଆବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ 1960ରେ ସ୍ବାକ୍ଷରିତ ସିନ୍ଧୁ ନଦୀ ଜଳ ଚୁକ୍ତି ଭଳି ଅନ୍ୟ ସମସ୍ତ ରାଜିନାମା ସମ୍ପର୍କରେ ଆଲୋଚନା କରାଯାଇ ବିବାଦର ସମାଧାନ ନେଇ ଉଦ୍ୟମ କରାଯିବ । ଏହି ଚୁକ୍ତି ସ୍ବାକ୍ଷରିତ ହେବା ପୂର୍ବରୁ 1948ରେ ହୋଇଥିବା ରାଜିନାମା ଅନୁଯାୟୀ ଦୁଇ ବିଭାଜିତ ରାଷ୍ଟ୍ର ମଧ୍ୟରେ ନଦୀ ଜଳ ଆବଣ୍ଟିତ ହେଉଥିଲା, ଯାହାକି ପରବର୍ତ୍ତୀ ସମୟରେ ଅଚଳ ହୋଇଯାଇଥିଲା ।
1960 ଚୁକ୍ତି ଅଧିନରେ ଆସୁଥିବା ଛଅଟି ନଦୀ ହେଲା ସିନ୍ଧୁ, ଝେଲମ, ଚେନାବ, ରବି, ସତଲେଜ ଏବଂ ବିସ୍। ଚୁକ୍ତି ଅନୁଯାୟୀ ଝେଲମ୍, ଚେନାବ ଏବଂ ସିନ୍ଧୁ ନଦୀ ଉପରେ ପାକିସ୍ତାନ ସମ୍ପୂର୍ଣ୍ଣ ଅଧିକାର ଭୋଗ କରି ଆସୁଛି। ଏସବୁ ନଦୀ ଭାରତରୁ ବାହାରି ପାକିସ୍ତାନକୁ ପ୍ରବାହିତ ହେଉଛି, ତେଣୁ ଏହାର ଜଳକୁ ନେଇ ବନ୍ଧ ନିର୍ମାଣ କରିବାକୁ ପାକିସ୍ତାନକୁ ଭାରତ ମନା କରିପାରିବ ନାହିଁ ।
ଚୁକ୍ତି ଅନୁଯାୟୀ ଅନ୍ୟ ତିନିଟି ନଦୀ-ରବି, ବିସ୍ ଏବଂ ସତଲେଜ ଉପରେ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି । ସିନ୍ଧୁ ନଦୀର ଉପ୍ତତ୍ତି ଯଦିଓ ଚୀନର ତିବ୍ବତ ଉପତ୍ୟକାରୁ ହୋଇଛି, କିନ୍ତୁ ବେଜିଂକୁ ଚୁକ୍ତିରୁ ବାଦ୍ ଦିଆଯାଇଥିଲା, ଅଥଚ ବିଶ୍ବ ବ୍ୟାଙ୍କ ଭାରତ ଓ ପାକିସ୍ତାନ ସହିତ ଚୁକ୍ତିରେ ସ୍ବାକ୍ଷର କରିଥିଲା । ବିଶ୍ବ ବ୍ୟାଙ୍କର କେବଳ ମଧ୍ୟସ୍ଥ ଭୂମିକା ଥିଲା, ଦୁଇ ଦେଶକୁ ଚୁକ୍ତି ସ୍ବାକ୍ଷର କରିବାରେ ସହାୟତା କରିଥିଲା । ଅନ୍ତର୍ଜାତୀୟ ଜଳ ଚୁକ୍ତି ମୁତାବକ ବିଶ୍ବ ବ୍ୟାଙ୍କ କୌଣସି ପ୍ରକଳ୍ପକୁ ଆର୍ଥିକ ସହାୟତା ଦେବା ବ୍ୟବସ୍ଥା ନଥିଲା।
ସିନ୍ଧ, ଚେନାବ୍ ଏବଂ ଝେଲମ୍ ହେଉଛି ତିନିଟି ମୁଖ୍ୟ ନଦୀ ଯାହାକି ପାକିସ୍ତାନ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ଏହି ତିନିଟି ନଦୀ ହେଉଛି ପାକିସ୍ତାନ ଓ ଏହାର ଅର୍ଥନୀତି ପାଇଁ ଜୀବନରେଖା ସଦୃଶ । ପାକିସ୍ତାନର କୃଷି ଅର୍ଥନୀତି ମୁଖ୍ୟତଃ ଏସବୁ ନଦୀ ଉପରେ ନିର୍ଭରଶୀଳ। ଚେନାବ ଏବଂ ଝେଲମ ନଦୀ ଜାମ୍ମୁ ଓ କାଶ୍ମୀର ଦେଇ ପ୍ରବାହିତ ହୋଇ ନିୟନ୍ତ୍ରଣ ରେଖା ଏଲଓସି ଦେଇ ପାକିସ୍ତାନକୁ ପ୍ରବେଶ କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା ନବୀକରଣ ହେବା ପରେ ଏଇ କିଛିଦିନ ହେଲା ଏଲଓସି ଶାନ୍ତ ରହିଛି ।
ସିନ୍ଧୁ ଜଳ ନେଇ ସଏଦ୍ ମେହର ଅଲ୍ଲି ଶାହଙ୍କ ନେତୃତ୍ବରେ ଗଠିତ ପାକିସ୍ତାନ ସ୍ଥାୟୀ କମିଶନ ଏବଂ ପ୍ରତିପକ୍ଷ ପି.କେ.ସକସେନାଙ୍କ ନେତୃତ୍ବରେ ଭାରତୀୟ ଦଳରେ ପାଣିପାଗ, ଜଳସେଚନ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଜାମ୍ମୁ ଓ କାଶ୍ମୀରର ଚେନାବ୍ ନଦୀରେ ନିର୍ମାଣାଧୀନ ମୁଖ୍ୟତଃ ବାଗଲିହର, ପାକଲ ଦୁଲ ଜଳବିଦ୍ୟୁତ ପ୍ରକଳ୍ପ ନେଇ ବିବାଦ ଉପରେ ଆଲୋଚନା କରାଯିବ । ଜାମ୍ମୁ ଅଞ୍ଚଳରେ ଲାଗି ଲାଗି ରହିଥିବା ଦୁଇଟି ଜିଲ୍ଲାରେ ଦୋଡା ଏବଂ କିସ୍ତୱାରରେ ଚେନାବ ନଦୀରେ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯାଉଛି ।
ଚେନାବ ନଦୀରେ ବନ୍ଧ ନିର୍ମାଣ ନେଇ ପାକିସ୍ତାନ ପ୍ରଥମେ ଅସନ୍ତୋଷ ଜାହିର କରିଥିଲା ଏବଂ ନିର୍ମାଣ ହେଉଥିବା ସ୍ଥାନ ଦେଖିବାକୁ ଅନୁମତି ଲୋଡ଼ିଥିଲା । ବାସ୍ତବରେ ବିଶେଶଜ୍ଞମାନଙ୍କ ଏକ ଦଳ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲା ଏବଂ କାମ ବନ୍ଦ କରି ଦିଆଯାଇଥିଲା। ବିଶ୍ବ ବ୍ୟାଙ୍କର ହସ୍ତକ୍ଷେପ ପରେ କାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲା । କିନ୍ତୁ ଭାରତ ଜଳବିଦ୍ୟୁତ ପ୍ରକଳ୍ପ ସଂଖ୍ୟା ବଢାଇବାରେ ପାକିସ୍ତାନ ଅଧିକ ନାରାଜ ହୋଇଥିଲା, ଏହାକୁ ନେଇ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ଚାହିଁଥିଲା ।
ଇମ୍ରାନ ଖାଁ ହିଁ ପ୍ରଥମେ ଭାରତ ସହ ଆଲୋଚନା ପାଇଁ ଆଗ୍ରହ ଦେଖାଇଥିଲେ ଏବଂ ଏହାପରେ ଗତ ସପ୍ତାହରେ ଇସଲାମବାଦରେ ଅନୁଷ୍ଠିତ ଏକ ବୈଠକରେ ପାକିସ୍ତାନ ସେନାଧ୍ୟକ୍ଷ କାମାର ଜାଭେଦ୍ ବାଜୱାଙ୍କ ଅନୁମୋଦନ କ୍ରମେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ କାଶ୍ମୀରରେ ଏକ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଇମ୍ରାନ ଭାରତକୁ ପ୍ରସ୍ତାବ ଦେଇଛନ୍ତି ।
ଅସଲ କଥା ହେଲା ବାଜୱା ଗୋଟିଏ ପାଦ ଆଗେଇ ଯାଇ କହିଥିଲେ ଯେ, ଆଗକୁ ଯିବାକୁ ହେଲେ ଅତୀତକୁ ଭୂଲିଯିବାକୁ ପଡ଼ିବ । କାଶ୍ମୀରକୁ କେନ୍ଦ୍ର କରି ପାକିସ୍ତାନ ଆଭିମୁଖ୍ୟର ଏଭଳି ପରିବର୍ତ୍ତନ ଉପରେ ଉଭୟ ପକ୍ଷର ସମୀକ୍ଷକମାନେ କଡା ନଜର ରଖିଛନ୍ତି । ପାକିସ୍ତାନ ଏହା କହିବା ବେଳେ ଧାରା 370ର ପୁର୍ନବାହାଲ କିମ୍ବା ଜାତିସଂଘ କଥା କିଛି ବି ଉଲ୍ଲେଖ କରିନାହିଁ । ଯୁଦ୍ଧବିରତି ଚୁକ୍ତିକୁ ନବୀକରଣ କରି ପାକିସ୍ତାନ ସୀମାରେ ଉତ୍ତେଜନା ଦୂର କରିବାକୁ ପ୍ରୟାସରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର କରିଛି ।
ପାକିସ୍ତାନ କାଶ୍ମୀର ନେଇ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ କରୁଥିବା ଦିନକୁ ଦିନ ଜଳ ଜଳ ଦିଶୁଛି । କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସଏଦ ଅଲ୍ଲି ଗିଲାନୀ ଯୁଦ୍ଧ ବିରତିକୁ ସାଲିସ୍ କରିବାର ଏକ ପ୍ରକୃଷ୍ଟ ଉଦାହରଣ କହି ଟିପ୍ପଣୀ ଦେଇଛନ୍ତି । କାଶ୍ମୀରକୁ କେନ୍ଦ୍ର କରି ଭାରତ-ପାକିସ୍ତାନ ରାଜନୀତିରେ କାଶ୍ମୀରରୁ ପାକିସ୍ତାନକୁ ପ୍ରବାହିତ ଜଳର ପ୍ରମୁଖ ଭୂମିକା ରହିଛି । ଏ ଦିଗରୁ ସିନ୍ଧୁ ଜଳ କମିଶନର ଏ ବୈଠକ ଅତି ଗୁରୁତ୍ବପୂର୍ଣ୍ଣ ।
ଦକ୍ଷିଣ କାଶ୍ମୀରରୁ ଉତ୍ପତ୍ତି ହୋଇଥିବା ଝେଲମ ନଦୀ ପାକିସ୍ତାନ ପାଇଁ ଦୀର୍ଘଦିନର କାଶ୍ମୀର ପ୍ରସଙ୍ଗର ପ୍ରାସଙ୍ଗିକତା କମାଇ ଦେଇଛି ଏବଂ ଅଞ୍ଚଳର ସମସ୍ତ ବିବାଦର ସମାଧାନ ଗଠନମୂଳକ ଆଲୋଚନା ଜରିଆରେ କରିବାକୁ ପାକିସ୍ତାନ ଆଗ୍ରହ ଦେଖାଇ ଆସୁଛି । ପ୍ରକୃତରେ କାଶ୍ମୀର ପ୍ରସଙ୍ଗ ପାକିସ୍ତାନକୁ ଭାରତ ସହ ନଦୀ ଜଳ ଆବଣ୍ଟନ ନେଇ ଅଡୁଆରେ ପକାଇଛି । ସୁତରାଂ ବାଜୱା ଏବଂ ଖାନ୍ ଜଳ ବିବାଦ ସମେତ ସମସ୍ତ ପ୍ରସଙ୍ଗର ସମାଧାନର ଆବଶ୍ୟକତା ଅନୁଭବ କରିଛନ୍ତି ।
ଭୌଗୋଳିକ ଓ ରାଜନୈତିକ ପରିବର୍ତ୍ତନ ସହ ଏବେ ବିଶ୍ବରେ ହେଉଥିବା ଅନେକ ପରିବର୍ତ୍ତନରେ ପ୍ରମୁଖ ଭୂମିକା ନେଉଥିବା ଭାରତ ଓ ପାକିସ୍ତାନରେ ଏପରି ଘଟଣା ଘଟୁଛି । ଗୋଟିଏ ପକ୍ଷରେ ଭାରତ ଚୀନ୍ ଓ ପାକିସ୍ତାନ ବିରୁଦ୍ଧରେ ଚତୁଃରାଷ୍ଟ୍ରୀୟ ସୁରକ୍ଷା ଗୋଷ୍ଠୀ ବା QUADରେ ସଦସ୍ୟ ଥିବା ବେଳେ ଅନ୍ୟପକ୍ଷରେ ପାକିସ୍ତାନ ଚୀନର BRI ପ୍ରୋଜେକ୍ଟର ଏକ ପ୍ରମୁଖ ସହଯୋଗୀ । ଚୀନ୍ ଏବଂ ରୁଷିଆ ଏବେ ମିତ୍ର ରାଷ୍ଟ୍ର ପାଲଟିଛନ୍ତି । ସିନ୍ଧୁ ନଦୀ ଜଳକୁ ନେଇ କଥାବାର୍ତ୍ତା କାଶ୍ମୀରକୁ କେନ୍ଦ୍ର କରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ଦୂର କରିବ ନା ଏହା ଏଖ ସମୟୋପଯୋଗୀ ପଦକ୍ଷେପ ତାହା ସମସ୍ତଙ୍କ ଉତ୍କଣ୍ଠାର ବିଷୟ । ବୋଧହୁଏ କାଶ୍ମୀର ସମସ୍ୟା ନେଇ ପାକିସ୍ତାନର ତାହାର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ସହ ନିଜର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ବେଶୀ ଗୁରୁତ୍ବ ଦେଉଥିବା ଲକ୍ଷ୍ୟ କରାଯାଉଛି ।
ବିଲାଲ ଭଟ୍ଟ