ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ହେବାରେ ଲାଗିଥିବା ବେଳେ ସେଠାରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇସାରିଲାଣି । ଏହାରି ମଧ୍ୟରେ ଏକ ଭିନ୍ନ ଖବର ମଧ୍ୟ ଆସି ପହଞ୍ଚିଛି । ପୂର୍ବ ୟୁକ୍ରେନର ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଖାର୍କିଭର ଏକ ବଙ୍କରରେ ଆଶ୍ରୟ ନେଇଛନ୍ତି ୟୁକ୍ରେନ ନାଗରିକଙ୍କ ସମେତ ପ୍ରାୟ ୧୬ଶହ ଭାରତୀୟ ଛାତ୍ରଛାତ୍ରୀ ।
ୟୁକ୍ରେନରେ ଅଧ୍ୟୟନ କରୁଥିବା କେରଳର ଜଣେ ଏମବିବିଏସ୍ ଛାତ୍ର ମହମ୍ମଦ ଆମିନ୍ ଫୋନ୍ ମାଧ୍ୟମରେ ଇଟିଭି ଭାରତ ସମ୍ବାଦଦାତାଙ୍କୁ ସେଠିକାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ମହମ୍ମଦ ଆମିନ କହିଛନ୍ତି, ବର୍ତ୍ତମାନ ୟୁକ୍ରେନର ଉତ୍ତର-ପୂର୍ବରେ ଥିବା ଖାର୍କିଭ ସହରର ଅବସ୍ଥା ଅତ୍ୟନ୍ତ ଭୟାବହ । ଗତ 48 ଘଣ୍ଟା ଧରି ସେମାନେ ଏକ ବଙ୍କରରେ ଲୁଚି ରହିଛନ୍ତି ଏବଂ ପ୍ରତ୍ୟେକ ମୂହୂର୍ତ୍ତରେ କଠିନତା ବଢିବାରେ ଲାଗିଛି । ବଙ୍କର ମଧ୍ୟରେ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ସଙ୍କଟ ମଧ୍ୟ ରହିଛି । ବାହାରେ ଆକ୍ରମଣ ଜାରି ରହିଥିବାରୁ ବାହାରିବା କୌଣସି ପକ୍ଷେ ସମ୍ଭବ ହୋଇପାରୁନାହିଁ ।
ୟୁକ୍ରେନରେ ପ୍ରବଳ ଆକ୍ରମଣ ଜାରି ରହିଥିବା ଯୋଗୁ ଯୋଗାଯୋଗ ଓ ଯାତାୟତ ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଭିନ୍ନଭିନ୍ନ ସ୍ଥାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଦେଶ ମନ୍ତ୍ରଣାଳୟ ପାଇଁ ଏକ କଷ୍ଟକର ବ୍ୟାପାର ହେବାରେ ଲାଗିଲାଣି । ତେବେ ଏପରି ସ୍ଥଳେ ଋଷର ଘନଘନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନ ନାଗରିକଙ୍କ ସମେତ ବିଦେଶୀ ନାଗରିକମାନେ ମଧ୍ୟ ବଙ୍କର ପରି ସ୍ଥାନରେ ଆତ୍ମଗୋପନ କରିବାକୁ ସୁରକ୍ଷିତ ମଣୁଛନ୍ତି ।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଛାତ୍ରଙ୍କ ସମେତ ନାଗରିକମାନଙ୍କୁ ଫେରାଇ ଆଣିବାକୁ ସକ୍ରିୟ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ୟୁକ୍ରେନର ଆକାଶମାର୍ଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବାରୁ ପଡୋଶୀ ଦେଶର ସୀମା ଦେଇ ଭାରତୀୟଙ୍କୁ ବାହରକୁ ଅଣାଯାଉଛି । ଆଜି (ଶନିବାର) ମାତ୍ର କିଛି ସମୟ ପୂର୍ବର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୨୧୯ ଯାତ୍ରୀଙ୍କ ସହ ମୁମ୍ବାଇ ଅଭିମୁଖେ ଉଡାଣ ଆରମ୍ଭ କରିଛି । ଅନ୍ୟପଟେ ମୁମ୍ବାଇ ବିମାନ ବନ୍ଦରରେ ମଧ୍ୟ ଭାରତୀୟ ଛାତ୍ରଙ୍କ ଅବତରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ